ସ୍ତ୍ରୀ ଓ ପୁଅକୁ ଗଳା କାଟି ହତ୍ୟା କଲା ସ୍ୱାମୀ

କୌଣସି କାରଣରୁ ପାରିବାରିକ ଝଗଡା ହେବା ନେଇ ସେ ସ୍ତ୍ରୀ ଓ ପୁଅକୁ ହତ୍ୟା କରିଛି ମଦ୍ୟପ ସ୍ୱାମୀ ।

ପାରିବାରିକ କଳହରୁ କରୁଣ ପରିଣତି

ଭଦ୍ରକ: ସ୍ତ୍ରୀ ଓ ପୁଅକୁ ଗଳା କାଟି ହତ୍ୟା କଲା ନୃଶଂସ ସ୍ୱାମୀ । ମଦ୍ୟପାନ କରିଥିବା ଅବସ୍ଥାରେ ମାନସିକ ଭାରସାମ୍ୟ ହରାଇ ଏଭଳି କାଣ୍ଡ ଭିଆଇଛି ଅଭିଯୁକ୍ତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା କୁଶାଗଡିଆ ଗ୍ରାମରେ । ଅଭିଯୁକ୍ତ ଜଣକ ହେଉଛନ୍ତି ବନ୍ତ ଅଂଚଳର ଉମେଶ ନାୟକ । ସେ ଗତ ୩ ବର୍ଷ ହେଲା କୁଶାଗଡିଆ ଗ୍ରାମରେ ତାଙ୍କ ସ୍ତ୍ରୀ କାଂଚନ ନାୟକ ଓ ପୁଅ ଉତ୍କଳକୁ ନେଇ ରହୁଥିଲେ । ଗତକାଲି କୌଣସି କାରଣରୁ ପାରିବାରିକ ଝଗଡା ହେବା ନେଇ ସେ ସ୍ତ୍ରୀ ଓ ପୁଅକୁ ହତ୍ୟା କରିଥିବା ସୂଚନା ମିଳିଛି ।
ସୂଚନାନୁଯାୟୀ, ଉମେଶ ପ୍ରତ୍ୟେକ ଦିନ ମଦ୍ୟପାନ କରି ଘରକୁ ଫେରୁଥିବାରୁ ଉଭୟ ଦମ୍ପତି ମଧ୍ୟରେ କଳହ ଲାଗିରୁହେ । କାଲି ରାତିରେ ବି ସେହିଭଳି ଉମେଶ ପ୍ରଚୁର ମଦ୍ୟପାନ କରି ଘରକୁ ଫେରିଥିଲା । କୌଣସି କାରଣବଶତଃ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । କିନ୍ତୁ ରାତ୍ରି ଭୋଜନ ସାରି ସେମାନେ ଶୋଇଥିବା ପରେ ଉମେଶ ପୁଅ ଓ ସ୍ତ୍ରୀଙ୍କ ଗଳା କାଟି ହତ୍ୟା କରିଥିଲା । ତାପରେ ଘର ପାଖରେ ଥିବା ଏକ ଗଛ ଉପରେ ଚଢି ସଠୋରେ ରାତି ବିତାଇଥିଲା । ତେବେ ସକାଳୁ ଉମେଶଙ୍କ ଘରର କବାଟ ଖୋଲାନଥିବା ଦେଖି କେତେକ ଗ୍ରାମବାସୀ ମିଳିତ ହୋଇ କବାଟ ଭାଙ୍ଗିବାରୁ ସେଠାରେ କାଂଚନ ଓ ଉତ୍କଳଙ୍କ ମୃତଦେହ ପଡିଥିବା ଦେଖିଥିଲେ । ପରେ ପୋଲିସକୁ ଖବର ଦେଇଥିଲେ । ଅଭିଯୁକ୍ତକୁ ଏକ ସିମେଂଟ କାରଖାନାରୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ । ଖବର ପାଇ ଭଣ୍ଡାରିପୋଖରୀ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ।