ପିଏମ୍ ଆବାସ ବନ୍ଦ କରିବାକୁ ବିଜେପିର ଷଡ଼ଯନ୍ତ୍ର: ବିଜେଡି

ଓଡ଼ିଆଙ୍କ ପ୍ରଧାନମନ୍ତ୍ରୀ ଆବାସ ବନ୍ଦ କରିବାକୁ ବିଜେପି ଯେଉଁ ଷଡ଼ଯନ୍ତ୍ର କରିଥିଲା, ତାହାର ପର୍ଦ୍ଦାଫାସ୍ ହୋଇସାରିଛି ବୋଲି ବିଜେଡି ଅଭିଯୋଗ କରିଛି

ଓଡ଼ିଶାବାସୀ ବିଜେପି ନେତାଙ୍କ କାରସାଦି ସମ୍ପର୍କରେ ଅବଗତ: ବିଜେଡି

ଭୁବନେଶ୍ୱର, ୨୬/୦୭/୨୦୨୩:ଲକ୍ଷ ଲକ୍ଷ ଗରିବ ଓଡ଼ିଆଙ୍କ ପ୍ରଧାନମନ୍ତ୍ରୀ ଆବାସ ବନ୍ଦ କରିବାକୁ ବିଜେପି ଯେଉଁ ଷଡ଼ଯନ୍ତ୍ର କରିଥିଲା, ତାହାର ପର୍ଦ୍ଦାଫାସ୍ ହୋଇସାରିଛି । ଓଡ଼ିଶା ବିଜେପିର ସେହି ଷଡ଼ଯନ୍ତ୍ରକାରୀ ନେତାମାନେ ଆଜି ପୁଣି ଆବାସ ଯୋଜନା କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି ।
ଆବାସ ଯୋଜନା ସଂପର୍କରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ବିଜେଡ଼ି ଗଣମାଧ୍ୟମ ପ୍ରବକ୍ତା ଇପସିତା ସାହୁ ପ୍ରେସ୍ କନଫରେନ୍ସିଂ ଆୟୋଜିତ କରି କହିଛନ୍ତି ଯେ ପୃଥ୍ୱୀରାଜ ବାବୁ ସବୁ କଥାରେ ଯେମିତି ଗଣମାଧ୍ୟମ ଆଗକୁ ଆସି ଡାହା ମିଛ ଗପୁଛନ୍ତି ଏବଂ ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି, ତାହା ଦେଖି ଓଡ଼ିଶାବାସୀ ତାଙ୍କୁ ଜୋକର୍ଭାବୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଂପର୍କରେ ମଧ୍ୟ ଆଜି ତାଙ୍କ ମନ୍ତବ୍ୟ ଶୁଣି ଲୋକେ ନିଶ୍ଚୟ ହସୁଥିବେ । ଯେତେବେଳେ ଓଡ଼ିଶାର ଗରିବ, ଆଦିବାସୀ ଏବଂ ଅନୁସୂଚିତ ଜନଜାତିର ୧୫ ଲକ୍ଷ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଆବଶ୍ୟକ କରୁଥିଲେ, ଏହାକୁ ବନ୍ଦ କରିବା ଲାଗି ଓଡ଼ିଶାରୁ ଦିଲ୍ଲୀ ଯାଇଥିବା ବିଜେପିର ସାଂସଦମାନେ ମିଳିତହୋଇ ଷଡ଼ଯନ୍ତ୍ର କରିଥିଲେ । ଏଥିପାଇଁ ସେମାନେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କୁ ଭେଟି ଓଡ଼ିଶାକୁ ପିଏମ୍ଏୱାଇରେ ଘର ନ ଦେବାକୁ ଚାପ ପକାଇଥିଲେ । ଓଡ଼ିଶାର ବିଜେପି ସାଂସଦମାନଙ୍କ ଏଭଳି ଓଡ଼ିଶା ବିରୋଧୀ ଷଡ଼ଯନ୍ତ୍ର ଯୋଗୁଁ ପ୍ରାୟ ୩ ବର୍ଷ କାଳ କେନ୍ଦ୍ର ସରକାର ଓଡ଼ିଶାକୁ ଆବାସ ଯୋଜନାରେ ଘର ଦେବା ବନ୍ଦ ରଖିଲେ । ଆଉ ବହୁ ଦାବି ଓ ଆନ୍ଦୋଳନ ପରେ ଶେଷରେ ୧୫ ଲକ୍ଷ ଘର ଜାଗାରେ ଓଡ଼ିଶାକୁ ମାତ୍ର ୮ ଲକ୍ଷ ଘର ମିଳିଲା ।
ଇପସିତା ଆହୁରି କହିଲେ ଯେ ଓଡ଼ିଶା ବିଜେପି ନେତାମାନଙ୍କ ଏଭଳି କାରସାଦି ସଂପର୍କରେ ଓଡ଼ିଶାବାସୀ ଜାଣି ସାରିଲେଣି । ସେଥିପାଇଁ ଗତ ପଞ୍ଚାୟତ ନିର୍ବାଚନରେ ସଚେତନ ଓଡ଼ିଶାବାସୀ ବିଜେପିକୁ ଏମିତି ଜବାବ ଦେଲେ ଯେ ୩୦ରୁ ୩୦ ଜିଲ୍ଲା ପରିଷଦରେ ବିଜେପି ମାଟି କାମୁଡ଼ିଲା । ସେମାନଙ୍କ ଏଭଳି ଓଡ଼ିଶା ସ୍ୱାର୍ଥ ବିରୋଧୀ ନୀତି ଯୋଗୁଁ ଆଗାମୀ ନିର୍ବାଚନରେ ମଧ୍ୟ ଓଡ଼ିଶାବାସୀ ବିଜେପିକୁ ପ୍ରତ୍ୟାଖ୍ୟାନ କରିବେ ।