ଗୋଟେ ପଟେ ହାତୀ ସଂରକ୍ଷଣ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଦାବି; ଅନ୍ୟ ପଟେ ହାତୀ ଉପରେ ଆକ୍ରମଣ

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଜଙ୍ଗଲରେ ହାତୀ ପଲକୁ ଘଉଡାଇବା ପାଇଁ ହାତୀ ଦେହରେ ନିଆଁ ଲଗାଇ ଆହତ କରିଛନ୍ତି

ହାତୀ ଦେହରେ ଲଗାଇଦେଲେ ନିଆଁ

ମୟୂରଭଞ୍ଜ: ଗୋଟିଏ ପଟେ ହାତୀ ସଂରକ୍ଷଣ ପାଇଁ ଅନ୍ତର୍ଜାତୀୟ ସ୍ତରରେ ସମୂହଗଣ ଦାବି କରୁଥିବା ବେଳେ ଓଡିଶାରେ ଅନ୍ୟପଟେ ହେଉଛି ହାତୀ ଉପରେ ଆକ୍ରମଣ । ମଣିଷ-ହାତୀ ସଂଘର୍ଷକୁ ନେଇ ଗତ କିଛି ଦିନ ତଳେ ବ୍ରିଟେନ ସାଂସଦ ସମୂହ ପକ୍ଷରୁ ଏକ ପତ୍ର ପ୍ରକାଶିତ ହୋଇଥିଲା, ଯେଉଁଥିରେ ଉଲ୍ଲେଖ ଥିଲା କି ମଣିଷ-ହାତୀ ସଂଘର୍ଷ ଯୋଗୁଁ ଓଡିଶାରେ ହାତୀ ମୃତ୍ୟୁ ସର୍ବାଧିକ । ତେଣୁ ହାତୀ ସଂରକ୍ଷଣ କରିବା ଜରୁରୀ । କିନ୍ତୁ ଆଜି ହାତୀକୁ ନିଆଁ ଲଗାଇ ଆକ୍ରମଣ କରିଛନ୍ତି ଲୋକେ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଜଙ୍ଗଲରେ ହାତୀ ପଲକୁ ଘଉଡାଇବା ପାଇଁ ନିଆଁରେ ଆହତ କରିଛନ୍ତି । କରଞ୍ଜିଆ ରେଞ୍ଜ ଅନ୍ତର୍ଗତ ଶୁକ୍ରିଲି ବ୍ଲକରେ କେତେକ ହାତୀ ଜନବସତି ଆଡକୁ ମାଡି ଆସିଥିଲେ । ହାତୀମାନେ ଗାଁରେ ଥିବା କେତେକ ଘର ନଷ୍ଟ କରିଦେଇଥିବାରୁ ଲୋକମାନେ ଉତକ୍ଷିପ୍ତ ହୋଇ ହାତୀମାନଙ୍କୁ ଆକ୍ରମଣ କରିଥିଲେ । ଲୋକମାନେ ହାତୀ ଦେହରେ ନିଆଁ ଲଗାଇ ଦେଇଥିବାରୁ ଗୋଟିଏ ହାତୀର ପିଠିରେ ନିଆଁ ଲାଗିଯିବା ଫଳରେ ତାର ଅବସ୍ଥା ଅତ୍ୟନ୍ତ ଗୁରୁତର ଅଛି । ଆହତ ହାତୀ ପିଠିରେ ନିଆଁ ଲାଗିଥିବା ବେଳେ ସ୍ଥାନୀୟ ଲୋକେ ଦର୍ଶକ ସାଜି ଦେଖୁଥିଲେ ଓ ଏହାର ଭିଡିଓ ଉତୋଳନ କରୁଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାମନାକୁ ଆସିଛି । ଏ ସଂକ୍ରାନ୍ତରେ କରଞ୍ଜିଆ ରେଞ୍ଜର ଡିଭିଜନାଲ ଫରେଷ୍ଟ ଅଫିସରଙ୍କୁ ପଚାରିବାରୁ ସେ କହିଛନ୍ତି, ଏହି ଘଟଣା ତାଙ୍କ ଡ୍‌ୟୁଟି ସମୟରେ ଘଟିଛି କି ନାହିଁ, ସେ ନିଶ୍ଚିତ ନୁହଁନ୍ତି । କିନ୍ତୁ ତଦନ୍ତ କଲା ପରେ ଯଦି ଜଣାପଡେ ଏହି ଘଟଣା କରଞ୍ଜିଆ ରେଞ୍ଜରେ ଘଟିଛି ତାହାଲେ ଦୋଷୀ ମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।