ଓଡିଶା ପାଇଁ ଗର୍ବ: କମନୱେଲ୍‌ଥରେ ଜିତିଲେ ସ୍ୱର୍ଣ୍ଣ

ଉତରପ୍ରଦେଶରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଭାରାତୋଳନ ପ୍ରତିଯୋଗିତାରେ ୨୫୦ କେଜି ଓଜନ ଉଠାଇ ସ୍ୱର୍ଣ୍ଣ ଜିତିଛନ୍ତି ।

ଇଚ୍ଛାଶକ୍ତିକୁ ରୋକି ପାରିଲାନି ଗରିବୀ

ଢେଙ୍କାନାଳ: ରାଜ୍ୟ ପାଇଁ ଗର୍ବ ଆଣି ଦେଇଛନ୍ତି ଢେଙ୍କାନାଳ ପୁଅ ହୃଦାନନ୍ଦ ଦାସ । ଜୀବନରେ ଦେଖିଥିବା ଦାରିଦ୍ର‌୍ୟ ଓ ପ୍ରତିକୂଳ ପରିସ୍ଥିତି ରୋକି ପାରିଲାନି ଲକ୍ଷ୍ୟ । ସେ ପ୍ରମାଣ କରି ଦେଖାଇ ଦେଇଛନ୍ତି ଯେ, ଜୀବନରେ ଯେତେ ବାଧାବିଘ୍ନ ଆସିଲେ ବି ଲକ୍ଷ୍ୟ ଏକ ହେବା ଦରକାର । ନିକଟରେ କମନୱେଲ୍‌ଥ ଚାମ୍ପିଅନସିପରେ ଜିତିଛନ୍ତି ସ୍ୱର୍ଣ୍ଣ । ଉତରପ୍ରଦେଶର ଗ୍ରେଟର ନୋଏଡାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଭାରାତୋଳନ ପ୍ରତିଯୋଗିତାରେ ୭୩ କେଜି ଯୁବ ବର୍ଗ ଇଭେଂଟରେ ମୋଟ ୨୫୦ କେଜି ଓଜନ ଉଠାଇ ଶୀର୍ଷ ସ୍ଥାନ ଅଧିକାର କରିଥିଲେ । ୧୫ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି ହୃଦାନନ୍ଦ ।
ଢେଙ୍କାନାଳ ଜିଲ୍ଲା କୁଟୁନିଆ ଗ୍ରାମର ହରିହର ଦାସଙ୍କ ପୁଅ ହେଉଛନ୍ତି ହୃଦାନନ୍ଦ । ହୃଦାନନ୍ଦଙ୍କ ବାପା ପେସାରେ ଜଣେ ଅଟୋ ଡ୍ରାଇଭର । ତେଣୁ ଜୀବନରେ ଅନେକ ଦାରିଦ୍ର‌୍ୟ ଓ ପ୍ରତିକୂଳ ପରିସ୍ଥିତି ଦେଖିଛନ୍ତି । କିନ୍ତୁ ନିଜ ସ୍ୱପ୍ନ ହାସଲ କରିବାକୁ କେବେ ପଛଘୁଂଚା ଦେଇନାହାନ୍ତି । ଦୃଢ ସଂକଳ୍ପ ଓ ନିଷ୍ଠାବଳରେ ଅନେକ ବାଧାବିଘ୍ନକୁ ଅତିକ୍ରମ କରି ଆଜି ସଫଳତା ସାଉଁଟିଛନ୍ତି । ଢେଙ୍କାନାଳରେ ଆସି ପହଂଚିବା ପରେ ହୃଦାନନ୍ଦଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏ ନେଇ ସେ କହିଛନ୍ତି, ‘‘ମେଗା ଚାମ୍ପିଅନସିପରେ ପ୍ରତିଯୋଗିତା ସ୍ତର ବହୁତ କଠିନ ଥିଲା । ଏହି ପ୍ରତିଯୋଗିତାରେ ୧୫ଟି ଦେଶର ଭାରାତୋଳକ ଅଂଶଗ୍ରହଣ କରିଥିଲେ । ମୁଁ ବହୁତ ଖୁସି ଯେ, ସ୍ୱର୍ଣ୍ଣ ପଦକ ହାସଲ କରିବା ମୋ ଭିତରେ ଆତ୍ମବିଶ୍ୱାସ ବଢାଇ ଦେଇଛି ।’’