ପୁଣି ଭାରରେ ବୁହା ହେଲେ ଜନନୀ

ଗାଁ କୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ନ ଆସିବାରୁ ଶେଷରେ ପରିବାର ଲୋକେ ଭାରରେ ବୋହି ପ୍ରାୟ ୧୪ କିଲୋମିଟର ଯାଏ ଗଲେ ଗର୍ଭବତୀ ମହିଳା ।

ସରକାରୀ ଯୋଜନା ଲୋକଙ୍କ ପାଇଁ ପ୍ରହସନ

ଭବାନୀପାଟଣା (ଦର୍ଶନ ନିଉଜ): ପୁଣି ଥରେ ଭାରରେ ବୁହା ହୋଇଛନ୍ତି ଗର୍ଭବତୀ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ଝାଞ୍ଜି ଗାଁରେ। ଗାଁକୁ ବିକାଶମୁଖି କରିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଥିବାବେଳେ ରାଜକୋଶରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ତୃଣମୂଳ ସ୍ତରରେ ଏହି ଯୋଜନା ଲୋକଙ୍କ ପାଇଁ ପାଲଟିଛି ପ୍ରହସନ।ଆଜିବି ଅନେକ ଗାଁକୁ ରାସ୍ତା ନଥିବାବେଳେ କେତେକ ନଦୀ ନାଳରେ ପୋଲ ଟିଏ ମଧ୍ୟ ନାହିଁ। ଫଳରେ ରୋଗୀ ଏବଂ ଗର୍ଭବତୀଙ୍କ ପାଇଁ ଖଟିଆ ପାଲଟିଛି ଭରସା । କାରଣ ଅପହଞ୍ଚ ଇଲାକାରେ ପକ୍କା ରାସ୍ତା ଓ ନଦୀରେ ପୋଲ ନଥିବାରୁ ଗାଁକୁ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ପାରୁନାହିଁ ।ଆଦିବାସୀ ଅଧ୍ୟୁଷିତ ଅପହଞ୍ଚ ଇଲାକା ଭାବରେ ପରିଚିତ ଥୁଆମୂଳ ରାମପୁର ବ୍ଲକ ୨୪ ଟି ପଞ୍ଚାୟତକୁ ନେଇ ଗଠିତ। ଏହି ବ୍ଲକର ୬୦ ପ୍ରତିଶତ ଗାଁକୁ ପକ୍କା ରାସ୍ତା ଟିଏ ନାହିଁ। ଯେଉଁଥିପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ। ପୁଣି ଥରେ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି ସରକାରୀ ବ୍ୟବସ୍ଥାର ନଗ୍ନ ଚିତ୍ର। ଗାଁକୁ ରାସ୍ତା ନଥିବା କାରଣରୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା। ଜିଲ୍ଲାର ଥିଆମୂଳ ରାମପୁର ବ୍ଲକ ଓ ରାୟଗଡା ଜିଲ୍ଲା ର ସୀମା ବର୍ତ୍ତି ଅଞ୍ଚଲ ସିଲେଟ ପଞ୍ଚାୟତ ବ୍ଲକ ମୁଖ୍ୟାଳୟ ଠାରୁ ୭୦ କିଲୋମଟର ଦୂରରେ ଥିବା ଏହି ପଞ୍ଚାୟତ ରାୟଗଡା ଜିଲ୍ଲାର କଲ୍ୟାଣୀ ସିଂପୁର ଉପରେ ନିର୍ଭର କରିଥାନ୍ତି।
ସୂଚନା ଅନୁସାରେ ଝାଞ୍ଜି ଗାଁର ରଶ୍ମିତା ମାଝିଙ୍କୁ ପ୍ରସବ ବେଦନା ହୋଇଥିଲା। ଫଳରେ ଡାକ୍ତରଖାନା ନେବା ପାଇଁ ପରିବାର ଲୋକେ ଆମୁଲାନ୍ସ ସହ ଯୋଗାଯୋଗ କରିଥିଲେ। ହେଲେ ଗାଁ କୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ନ ଆସିବାରୁ ଶେଷରେ ପରିବାର ଲୋକେ ଭାରରେ ବୋହି ପ୍ରାୟ ୧୪ କିଲୋମିଟର ପେଡିପଦର ଛକ ପର୍ଯ୍ୟନ୍ତ ବୋହି ନେବା ପରେ ସେଠାରୁ ଏକ ଅଟୋ ଯୋଗେ କଲ୍ୟାଣୀସିଂପୁର ଡାକ୍ତର ଖନା କୁ ନେଇ ଭର୍ତ୍ତି କରିଥିବା ଜଣାପଡିଛି। ସେପଟେ ଗାଁ କୁ ରାସ୍ତା ନିର୍ମାଣ ନେଇ ବାରମ୍ବାର ଅଭିଯୋଗ କଳା ପରେ ମଧ୍ୟ କୌଣସି ସୁଫଳ ମିଳୁି ନଥିବା ବେଳେ ଏଭଳି ଚିତ୍ରା ବାରମ୍ବାର ସାମ୍ନାକୁ ଆସିବାରେ ଲାଗିଛି।