ଦେଶରେ ୩୦୦ରୁ ଅଧିକ କଲେଜରେ ସେମିକଣ୍ଡକ୍ଟର ପାଠ୍ୟକ୍ରମ ପଢାଯିବ: ପ୍ରଧାନମନ୍ତ୍ରୀ

ଗାନ୍ଧୀନଗରରେ ସେମିକନ୍ ଇଣ୍ଡିଆ-୨୦୨୩ ସମ୍ମିଳନୀକୁ ଉଦଘାଟନ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି।

ଟେକ୍ନୋଲୋଜି କମ୍ପାନୀକୁ ୫୦% ଆର୍ଥିକ ସହାୟତା ଦିଆଯିବ

ଗୁଜୁରାଟ: ଦେଶରେ ସେମିକଣ୍ଡକ୍ଟର ଉତ୍ପାଦନ କାରଖାନା ସ୍ଥାପନ ପାଇଁ ଟେକ୍ନୋଲୋଜି କମ୍ପାନୀଗୁଡ଼ିକୁ ୫୦ ପ୍ରତିଶତ ଆର୍ଥିକ ସହାୟତା ଦିଆଯିବ। ସେମିକଣ୍ଡକ୍ଟର ଶିଳ୍ପ ଭାରତରେ ଦ୍ରୁତ ଅଭିବୃଦ୍ଧି ହାସଲ କରିବ। ସେମିକଣ୍ଡକ୍ଟର ଡିଜାଇନ ଉପରେ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ଭାରତରେ ୩୦୦ କଲେଜ ଚିହ୍ନଟ କରାଯାଇଛି। ଦେଶ ନିକଟରେ ‘ନ୍ୟାସନାଲ କ୍ୱାଣ୍ଟମ ମିଶନ’କୁ ଅନୁମୋଦନ କରିଛି ଏବଂ ସଂସଦରେ ନେସନ୍ ରିସର୍ଚ୍ଚ ଫାଉଣ୍ଡେସନ ବିଲ୍ ଆଗତ କରିବାକୁ ଯାଉଛି। ଗାନ୍ଧୀନଗରରେ ସେମିକନ୍ ଇଣ୍ଡିଆ-୨୦୨୩ ସମ୍ମିଳନୀକୁ ଉଦଘାଟନ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି।

ମୋଦି କହିଛନ୍ତି, ବିଶ୍ୱର ପ୍ରତ୍ୟେକ ଶିଳ୍ପ ବିପ୍ଳବ ବିଭିନ୍ନ ସମୟରେ ଲୋକଙ୍କ ଆକାଂକ୍ଷା ଦ୍ୱାରା ପରିଚାଳିତ ହୋଇଛି। ବର୍ତ୍ତମାନ ଦେଖାଯାଉଥିବା ଚତୁର୍ଥ ଶିଳ୍ପ ବିପ୍ଳବ ଭାରତର ଆକାଂକ୍ଷା ଦ୍ୱାରା ପରିଚାଳିତ। ଦେଶରେ ସେମିକଣ୍ଡକ୍ଟର ଶିଳ୍ପର ବିକାଶ ପାଇଁ ଭାରତ ଏକ ସମଗ୍ର ଇକୋସିଷ୍ଟମ ସ୍ଥାପନ କରୁଛି। ବର୍ତ୍ତମାନ ଟେକ୍ନୋଲୋଜି କମ୍ପାନୀଗୁଡ଼ିକ ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ କାରଖାନା ସ୍ଥାପନ ପାଇଁ ୫୦ ପ୍ରତିଶତ ଆର୍ଥିକ ସହାୟତା ପାଇବେ।

ସେମିକଣ୍ଡକ୍ଟର ଶିଳ୍ପର କିଛି ବିଶ୍ୱ ନେତାଙ୍କ ସହ ମଞ୍ଚରେ ଯୋଗ ଦେଇଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆଜି ମୁଁ ଚତୁର୍ଥ ଶିଳ୍ପ ବିପ୍ଳବ ଏବଂ ଭାରତୀୟ ଆକାଂକ୍ଷା ମଧ୍ୟରେ ସମାନ ସମ୍ପର୍କ ଦେଖୁଛି। ଭାରତ ଏହାର “ବୈଶ୍ୱିକ ଦାୟିତ୍ୱ”କୁ ଭଲ ଭାବରେ ବୁଝିଛି। ବନ୍ଧୁ ରାଷ୍ଟ୍ରମାନଙ୍କ ସହ ମିଶି ଏକ ବିସ୍ତୃତ ରୋଡମ୍ୟାପ୍ ଉପରେ କାମ କରୁଛୁ। ଭାରତରେ ସେମିକଣ୍ଡକ୍ଟର ଇକୋସିଷ୍ଟମ ସୃଷ୍ଟି କରିବା ପାଇଁ ଆମେ ବିଶେଷ ପ୍ରୟାସ କରୁଛୁ।

ସେମିକଣ୍ଡକ୍ଟର ଇକୋସିଷ୍ଟମ ପାଇଁ ଆମେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ପରିବର୍ତ୍ତନ କରୁଛୁ। ଭାରତରେ ୩୦୦ରୁ ଅଧିକ ବଡ କଲେଜ ଚିହ୍ନଟ କରାଯାଇଛି ଯେଉଁଠାରେ ସେମିକଣ୍ଡକ୍ଟର ଉପରେ ପାଠ୍ୟକ୍ରମ ପ୍ରଦାନ କରାଯିବ। ଆଗାମୀ ୫ ବର୍ଷ ମଧ୍ୟରେ ୧ ଲକ୍ଷରୁ ଅଧିକ ଡିଜାଇନ୍ ଇଞ୍ଜିନିୟର ରହିବେ ବୋଲି ଆଶା କରାଯାଉଛି। ନିବେଶକମାନେ ଭାରତର “ସ୍ଥିର, ଦାୟିତ୍ୱବାନ ଏବଂ ସଂସ୍କାରଭିତ୍ତିକ ସରକାର” ଏବଂ ବିଭିନ୍ନ କ୍ଷେତ୍ର ଏବଂ ଭିତ୍ତିଭୂମିରେ ଭାରତର ଅଗ୍ରଗତି ଯୋଗୁଁ ଭାରତ ଉପରେ ବିଶ୍ୱାସ କରନ୍ତି । ସେମିକଣ୍ଡକ୍ଟର ଶିଳ୍ପ ଏହାର ବିଶାଳ ପ୍ରତିଭା ପୁଲ୍, ଦକ୍ଷ ଇଞ୍ଜିନିୟର ଏବଂ ଡିଜାଇନର୍ କାରଣରୁ ଭାରତକୁ ବିଶ୍ୱାସ କରୁଛି ବୋଲି ସେ କହିଛନ୍ତି। ଏଠାକାର ଲୋକମାନେ ଟେକ୍ନୋଲୋଜିକୁ ଗ୍ରହଣ କରିବାରେ ବୈଷୟିକ ଅନୁକୂଳ ଏବଂ ଦ୍ରୁତ ଓ ଶସ୍ତା ଡାଟା, ଗୁଣାତ୍ମକ ଡିଜିଟାଲ ଭିତ୍ତିଭୂମି ଏବଂ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ଡିଜିଟାଲ ଉତ୍ପାଦନ ଏବଂ ବ୍ୟବହାରକୁ ବହୁଗୁଣିତ କରିଛି ବୋଲି ମୋଦି କହିଛନ୍ତି।