ଦେଶର ଭାଗ୍ୟ ପରିବର୍ତନର ମାଧ୍ୟମ ହେଉଛି ଶିକ୍ଷା: ପ୍ରଧାନମନ୍ତ୍ରୀ

ଭାରତ ମଣ୍ଡପମ୍ ଠାରେ ଅଖିଳ ଭାରତୀୟ ଶିକ୍ଷା ସମାବେଶକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପିଏମ ଶ୍ରୀ ଯୋଜନାରେ ପାଂଠିର ପ୍ରଥମ କିସ୍ତି ଉନ୍ମୋଚନ କଲେ ମୋଦି

ନୂଆଦିଲ୍ଲୀ: ଏକବିଂଶ ଶତାବ୍ଦୀର ଲକ୍ଷ୍ୟକୁ ଭାରତ ଆଜି ଶିକ୍ଷା ମାଧ୍ୟମରେ ପୂରଣ କରୁଛି । ଅଖିଳ ଭାରତୀୟ ଶିକ୍ଷା ସମାଗମର ଯାତ୍ରାରେ ପ୍ରାଚୀନ ଓ ଆଧୁନିକ ମିଶ୍ରଣର ଏକ ବାର୍ତା ରହିଛି । ଦେଶ ପ୍ରାଚୀନ ପରମ୍ପରାକୁ ବଜାୟ ରଖି ମଧ୍ୟ ଆଧୁନିକ ବିଜ୍ଞାନ ଓ ପ୍ରଯୁକ୍ତ ବିଦ୍ୟା କ୍ଷେତ୍ରରେ ଦେଶ ଦ୍ରୁତ ଗତିରେ ଅଗ୍ରଗତି କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଆଜି ନୂଆଦିଲ୍ଲୀର ପ୍ରଗତି ମାଇଦାନସ୍ଥିତ ଭାରତ ମଣ୍ଡପମ୍ ଠାରେ ଅଖିଳ ଭାରତୀୟ ଶିକ୍ଷା ସମାବେଶକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ।
ଏହି ଅବସରରେ ମୋଦି କହିଛନ୍ତି, ଶିକ୍ଷା ହେଉଛି ପ୍ରାଥମିକତା, ଯାହା ଦେଶର ଭାଗ୍ୟକୁ ପରିବର୍ତନ କରିପାରେ । ଶିକ୍ଷା ପାଇଁ ଆଲୋଚନା ଓ ପର୍ଯ୍ୟାଲୋଚନା ଅତ୍ୟନ୍ତ ଗୁରୁତ୍ୱତ୍ପୂର୍ଣ୍ଣ । କାଶୀର ରୁଦ୍ରାକ୍ଷଠାରୁ ଆରମ୍ଭ କରି ଆଧୁନିକ ଭାରତ ମଣ୍ଡପ ପର୍ଯ୍ୟନ୍ତ ଶିକ୍ଷା ସମାଗମ ଯାତ୍ରାରେ ପ୍ରାଚୀନ ଓ ଆଧୁନିକ ମିଶ୍ରଣର ଏକ ଗୁପ୍ତ ବାର୍ତା ରହିଛି । ଏବେ ୧୦+୨ ସିଷ୍ଟମ ବଦଳରେ ୫+୩+୩+୪ ସିଷ୍ଟ କାର୍ଯ୍ୟକାରୀ କରିଛି, ଯାହାକୁ ଛାତ୍ରଛାତ୍ରୀମାନେ ବୁଝିଛନ୍ତି । ଏନଇପି ଅଧିନରେ ଜାତୀୟ ପାଠ୍ୟକ୍ରମ ଢାଂଚା ଖୁବ୍ ଶୀଘ୍ର ଆସିବ । ୩-୮ ବର୍ଷ ବୟସର ଛାତ୍ରଛାତ୍ରୀଙ୍କ ପାଇଁ ଢାଂଚା ପ୍ରସ୍ତୁତ ହୋଇଛି । ସମଗ୍ର ଦେଶରେ ଏକ ସମାନ ପାଠ୍ୟକ୍ରମ ରହିବ ଏବଂ ଏନସିଇଆରଟି ଏଥିପାଇଁ ନୂତନ ପାଠ୍ୟପୁସ୍ତକ ପ୍ରସ୍ତୁତ କରିବ ବୋଲି ମୋଦି କହିଛନ୍ତି । ଏହାସହ ଜାତୀୟ ଶିକ୍ଷାନୀତିର ତୃତୀୟ ବାର୍ଷିକୀ ପାଳନ ଅବସରରେ ଯୋଗ ଦେଇଥିବା ବୁଦ୍ଧିଜୀବୀ, ଶିକ୍ଷାବିତ୍ ଏବଂ ଶିକ୍ଷକମାନେ ଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ପିଏମ ଶ୍ରୀ ଯୋଜନା ଅଧିନରେ ପାଂଠିର ପ୍ରଥମ କିସ୍ତି ମଧ୍ୟ ଉନ୍ମୋଚନ କରିଥିଲେ । ପ୍ରଧାନମନ୍ତ୍ରୀ ୧୨ଟି ଭାରତୀୟ ଭାଷାରେ ଅନୁବାଦିତ ଶିକ୍ଷା ଏବଂ ଦକ୍ଷତା ପାଠ୍ୟକ୍ରମ ପୁସ୍ତକ ଉନ୍ମୋଚନ କରିଥିଲେ । ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ, ଏକ ସମାନ, ସମାବେଶୀ ଏବଂ ବହୁବଚନ ସମାଜ ଗଠନ ପାଇଁ ଏହି ବିଦ୍ୟାଳୟଗୁଡିକ ଛାତ୍ରଛାତ୍ରୀଙ୍କୁ ଏପରି ଭାବରେ ବିକଶିତ କରିବେ, ଯାହା ସେମାନଙ୍କୁ ନିୟୋଜିତ, ଉତ୍ପଦନଶୀଳ ଏବଂ ଯୋଗଦାନକାରୀ ନାଗରିକ ହେବାରେ ସାହାଯ୍ୟ କରିବ ବୋଲି ମୋଦି କହିଛନ୍ତି ।
ଅଖିଳ ଭାରତୀୟ ଶିକ୍ଷା ସମାଗମ ଜୁଲାଇ ୨୯ ଓ ୩୦ରେ ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମରେ ୧୬ଟି ଅଧିବେଶନ ଅନୁଷ୍ଠିତ ହେବ । ଏହି ଅଧିବେଶନରେ ଗୁଣାତ୍ମକ ଶିକ୍ଷା ଓ ଶାସନ, ସମାନ ଓ ଅନ୍ତର୍ଭୁକ୍ତ ଶିକ୍ଷା, ଭାରତୀୟ ଜ୍ଞାନ ବ୍ୟବସ୍ଥା, ଶିକ୍ଷାର ଅନ୍ତର୍ଜାତୀୟକରଣ, ସାମାଜିକ-ଅର୍ଥନୈତିକ ଅନଗ୍ରସର ଗୋଷ୍ଠୀ, ଜାତୀୟ ଅନୁଷ୍ଠାନ ମାନ୍ୟତା ଢାଂଚା ଆଦି ବିଷୟ ଉପରେ ଆଲୋଚନା ହେବ । ଏଥିରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ ।