କେନ୍ଦ୍ର ମନ୍ତ୍ରଣାଳୟ ଅଧିକାରୀଙ୍କୁ ଗିରଫ କଲା ସିବିଆଇ

ଲାଞ୍ଚ ନେବା ବେଳେ କେନ୍ଦ୍ରୀୟ ମନ୍ତ୍ରଣାଳୟ ଅଧିକାରୀଙ୍କୁ ସିବିଆଇ ଗିରଫ କରିଛି।

ନଗଦ ୬୦ ଲକ୍ଷ ଲାଞ୍ଚ ଟଙ୍କା ଜବତ

ନୂଆଦିଲ୍ଲୀ: ଲାଞ୍ଚ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶନିବାର କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ (ଏମ୍ଓସିଏ)ର ୩ ଜଣ ଅଧିକାରୀଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ତଦନ୍ତକାରୀ ଦଳ ଅଭିଯୁକ୍ତଙ୍କ ନିକଟରୁ ନଗଦ ୬୦ ଲକ୍ଷ ଟଙ୍କା ଜବତ କରିଛି।

ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ (ଏମ୍ଓସିଏ)ର ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଦୁଇ ଜଣ ଅଧିକାରୀ ଅଛନ୍ତି, ଯେଉଁମାନେ ନୂଆଦିଲ୍ଲୀସ୍ଥିତ ମନ୍ତ୍ରଣାଳୟ କାର୍ଯ୍ୟାଳୟରେ ଯୁଗ୍ମ ନିର୍ଦ୍ଦେଶକ ଏବଂ ବରିଷ୍ଠ ବୈଷୟିକ ସହାୟକ ଭାବେ ଅବସ୍ଥାପିତ ଅଛନ୍ତି। ଚେନ୍ନାଇର କର୍ପୋରେଟ୍ ଭବନରେ ଅଫିସିଆଲ ଲିକ୍ୱିଡେଟର ଭାବେ କାର୍ଯ୍ୟରତ ଏମଓସିଏର ଅନ୍ୟ ଜଣେ ଯୁଗ୍ମ ନିର୍ଦ୍ଦେଶକଙ୍କ ସହ ମୁମ୍ବାଇର ଏକ ଘରୋଇ କମ୍ପାନୀର ସହଯୋଗୀଙ୍କୁ ଗିରଫ କରାଯାଇଛି।

ଅଭିଯୋଗରୁ ଜଣାପଡିଛି ଯେ ସମ୍ପୃକ୍ତ ସରକାରୀ କର୍ମଚାରୀମାନେ ଦୁର୍ନୀତିଗ୍ରସ୍ତ ଓ ବେଆଇନ କାର୍ଯ୍ୟରେ ନିୟୋଜିତ ଥିଲେ। ଜୁଲାଇ ୨୮ ତାରିଖରେ ଅଭିଯୁକ୍ତ ଅଧିକାରୀଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଭିତ୍ତି କରି ସିବିଆଇ ଜାଲ ବିଛାଇଥିଲା। ୩ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଯୁଗ୍ମ ନିର୍ଦ୍ଦେଶକଙ୍କୁ ଗିରଫ କରିଥିଲା। ଏହାପରେ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଧରାପଡ଼ିଥିଲେ। ଗିରଫ ପରେ ସିବିଆଇ ଅଧିକାରୀମାନେ ଦିଲ୍ଲୀ, ଗୁରୁଗ୍ରାମ ଏବଂ ଚେନ୍ନାଇର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ନଗଦ ୫୯.୮୦ ଲକ୍ଷ ଟଙ୍କା ସହ ଅନେକ ଆପତ୍ତିଜନକ ଦସ୍ତାବିଜ ଏବଂ ଡିଜିଟାଲ ପ୍ରମାଣ ଜବତ କରିଛନ୍ତି।