ଚାକିରି ଆଶାୟୀଙ୍କଠୁ ଖାଇଗଲେ ୧ କୋଟି

ବିଏସଏନଏଲରେ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ୧୦୦ରୁ ଅଧିକ ଯୁବକଙ୍କଠୁ ୧ କୋଟିରୁ ଅଧିକ ଟଙ୍କା ଠକେଇ କରିଛନ୍ତି ଜଣେ ବ୍ୟକ୍ତି।

୧୦୦ରୁ ଅଧିକ ଯୁବକ ଠକେଇର ଶିକାର

ବରଗଡ: ଚାକିରି ପାଇବା ଆଶାରେ ହରାଇଲେ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା। ଚାକିରି ଦେବା ପାଇଁ ୧୦୦ରୁ ଅଧିକ ଯୁବକଙ୍କୁ ପ୍ରଲୋଭିତ କରି ସେମାନଙ୍କଠୁ ଅନେକ ଟଙ୍କାର ଠକେଇ କରିଛନ୍ତି। ଏଭଳି ଏକ ଘଟଣା ସାମନାକୁ ଆସିଛି ବରଗଡ ଜିଲ୍ଲାରୁ। ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସଏନଏଲ)ରେ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ୧୦୦ରୁ ଅଧିକ ଯୁବକଙ୍କୁ ୧ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି ବରଗଡ ପୋଲିସ।

ବରଗଡ଼ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ତପନ ମହାନ୍ତି ଙ୍କ ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲାର ନିତିଗୌରା ବରଗଡ଼, ସୋନପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାର ୧୦୦ରୁ ଉର୍ଦ୍ଧ୍ଵ ଯୁବକଙ୍କଠାରୁ ବିପୁଳ ପରିମାଣର ଟଙ୍କା ଆଦାୟ କରି ବିନା ପରୀକ୍ଷାରେ ବିଏସଏନଏଲର ନକଲି ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ଅଭିଯୁକ୍ତମାନେ ଦୁଇଟି ନକଲି ଫେସ୍ ବୁକ୍ ଆକାଉଣ୍ଟ ଖୋଲି ବିଭିନ୍ନ ବ୍ୟକ୍ତିଙ୍କ ସହ ଚାଟିଂ କରି ବିନା ପରୀକ୍ଷାରେ ବିଏସଏନଏଲରେ ଯୋଗ ଦେବାକୁ ପ୍ରଲୋଭିତ କରୁଥିଲେ।

କିନ୍ତୁ ଚାକିରି ନଦେବାରୁ ଉକ୍ତ ଯୁବକଙ୍କ ମନରେ ସନ୍ଦେହ ଉପୁଜିଥିଲା। ଏହା ସହ ଉକ୍ତ ଯୁବକମାନେ ନିଯୁକ୍ତି ପତ୍ର ନକଲି ବୋଲି ଜାଣିବାକୁ ପାଇଲେ। ତେବେ ସେମାନେ ଅଭିଯୁକ୍ତଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରିବାକୁ କହିଥିଲେ, କିନ୍ତୁ ଟଙ୍କା ଫେରାଇବା ପରିବର୍ତ୍ତେ ନିତିଗୌରା ସେମାନଙ୍କୁ ଖାଲି ଦସ୍ତଖତ ଚେକ୍ ଦେଇଥିଲେ। ହେଲେ, ଆକାଉଣ୍ଟରେ ଲୋ ବାଲାନ୍ସ ଥିବାରୁ ଚେକ ବାଉନ୍ସ ହୋଇ ଯାଇଥିଲା। ଏ ନେଇ ବରଗଡ଼ ଜିଲ୍ଲା ଦୁଲେଶ୍ୱର ସାହୁ(୨୩)ଙ୍କ ଅଭିଯୋଗ କ୍ରମେ ନିତିଗୌରା ବାରିକ(୩୦)ଙ୍କୁ ଗିରଫ କରାଯାଇଛି।

ସୂଚନା ମୁତାବକ, ଅଭିଯୁକ୍ତ ଗତ ପ୍ରାୟ ୭ ବର୍ଷ ଧରି ଏହି ଠକେଇରେ ସମ୍ପୃକ୍ତ ଥିଲା ଏବଂ ୨୦୧୭ରୁ ଫେରାର ଥିଲା। ଅଭିଯୋଗ ପାଇବା ପରେ ୩ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ବରଗଡ଼ ପୁଲିସର ତ୍ୱରିତ ଓ ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ଯୋଗୁଁ ନିତିଗୌରାଙ୍କୁ ଏହି ମାମଲା ସହ ଜଡ଼ିତ କିଛି ନକଲି କାଗଜପତ୍ର ସହ ଗିରଫ କରାଯାଇଥିଲା। ତାଙ୍କ ନିକଟରୁ ନଗଦ ୧୩ ହଜାର ୫୫୦ ଟଙ୍କା, ୨ଟି ନକଲି ପରିଚୟପତ୍ର, ଚେକ୍ ବୁକ୍, ନକଲି ନିଯୁକ୍ତି ପତ୍ର ଆଦି ଜବତ କରାଯାଇଛି।