ନେଦରଲାଣ୍ଡରେ ଚିହ୍ନଟ ହେଲା କରୋନାର ନୂଆ ସବ ଭାରିଆଣ୍ଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ ପୁଣି ଥରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ କରୋନାର ଓମିକ୍ରନ ଭାରିଆଣ୍ଟର ଆଉ ଏକ ଅଧିକ ସଂକ୍ରାମକ ସବ ଭାରିଆଣ୍ଟ ଚିହ୍ନଟ ହୋଇଛି । ବିଏ.୨.୭୫ ସବ ଭାରିଆଣ୍ଟ ଯାହାକୁ ସେଣ୍ଟାରସ ନାଁ ଦିଆଯାଇଛି ।

ଏହି ସବ ଭାରିଆଣ୍ଟ ନେଦରଲାଣ୍ଡରୁ ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ଏହି ଭାରିଆଣ୍ଟ ଦ୍ରୁତି ଗତିରେ ବ୍ୟାପୁଛି ଯାହା ସ୍ଥିତିକୁ ଅଧିକ ଜଟିଳ କରିପାରେ। ମିଡିଆ ରିପୋର୍ଟ ଅନୁସାରେ, ଏହି ସବ ଭାରିଆଣ୍ଟ ନର୍ଥଇଷ୍ଟ ଗୋଲଡରଲାଣ୍ଡ ପ୍ରାନ୍ତରୁ ନିଆଯାଇଥିବା ଏକ ନମୂନାରୁ ଚିହ୍ନଟ ହୋଇଛି । ଜୁନ ୨୬ରେ ଏହାକୁ ସଂଗ୍ରହ କରାଯାଇଥିଲା ।

ଡଚ୍ ନ୍ୟାସନାଲ ଇଷ୍ଟିଚ୍ୟୁଟ ଅଫ ପବ୍ଲିକ ହେଲ୍ଥ ବୁଧବାର ଏହି ସୂଚନା ଦେଇଛି । ତେବେ ଓମିକ୍ରନର ଏହି ସବ ଭାରିଆଣ୍ଟ ବାବଦରେ ଅଧିକ ସୂଚନା ଉପଲବ୍ଧ ନାହିଁ, କିନ୍ତୁ ଏହା ଅଧିକ ସଂକ୍ରାମକ ବୋଲି କୁହାଯାଉଛି । ଗତ ସପ୍ତାହରେ ବିଶ୍ୱ ସ୍ୱାସ୍ଥ୍ୟ ସଗଂଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ ଟ୍ୱିଟ କରି କହିଥିଲେ, ଏହି ସବ ଭାରିଆଣ୍ଟ ଉପରେ ଅନୁଧ୍ୟାନ ଜାରି ରଖିଛି ।