ସୁନ୍ଦରଗଡ଼ ମୁଖ୍ୟ କୃଷି ଅଧିକାରୀଙ୍କୁ ଦାୟିତ୍ୱରୁ ମୁକ୍ତ କଲେ ରାଜ୍ୟ ସରକାର

ସୁନ୍ଦରଗଡ଼ରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ (ସିଡିଏଓ) ଜାନକୀ ବଲ୍ଲଭ ମହାପାତ୍ରଙ୍କୁ ପ୍ରଶାସନିକ ଭିତ୍ତିରେ ଦାୟିତ୍ୱରୁ ମୁକ୍ତ କରିଛନ୍ତି

ଜୁଲାଇ ୩୧ରେ ଦାୟିତ୍ୱ ଗ୍ରହଣ କରିଥିଲେ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ କୃଷି ଯୋଜନା କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ (ସିଡିଏଓ) ଜାନକୀ ବଲ୍ଲଭ ମହାପାତ୍ରଙ୍କୁ ପ୍ରଶାସନିକ ଭିତ୍ତିରେ ଦାୟିତ୍ୱରୁ ମୁକ୍ତ କରିଛନ୍ତି।

ଗତ ଏପ୍ରିଲ ୩୧ ତାରିଖରେ ବୀରେନ୍ଦ୍ର ବେହେରା ଅବସର ନେବା ପରେ ନୟାଗଡ଼ର ତତ୍କାଳୀନ କୃଷି ଜିଲ୍ଲା ଅଧିକାରୀ (ଏଡିଓ) ଶ୍ରୀ ମହାପାତ୍ରଙ୍କୁ ଗତ ୧୭ ତାରିଖରେ ନୂଆ ସୁନ୍ଦରଗଡ଼ ସିଡିଏଓ ଭାବେ ନିଯୁକ୍ତି ଦିଆଯାଇଥିଲା। ତେବେ ଗତ ଜୁଲାଇ ୩୧ ତାରିଖରେ ଦାୟିତ୍ୱରେ ଥିବା ସିଡିଏଓ ଓ ଲେଫ୍ରିପଦା ଏଡିଓ ହରିହର ନାୟକଙ୍କ ଠାରୁ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସୁନ୍ଦରଗଡ଼ରେ ରହିବା ସମୟରେ ସେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇନଥିବାରୁ କୃଷି କାର୍ଯ୍ୟାଳୟରେ କାମ ବାଧାପ୍ରାପ୍ତ ହୋଇଥିଲା।

ନିକଟରେ ଜିଲ୍ଲାପାଳ ଏ ସଂକ୍ରାନ୍ତରେ କୃଷି ବିଭାଗକୁ ଚିଠି ଲେଖିଥିବା ବେଳେ ଅଗଷ୍ଟ ୨୪ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରି ଶ୍ରୀ ମହାପାତ୍ରଙ୍କୁ ଭୁବନେଶ୍ୱର କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ନାୟକଙ୍କୁ ସୁନ୍ଦରଗଡ଼ ସିଡିଏଓ ଦାୟିତ୍ୱରେ ଥିବା ଏବଂ ବିଭାଗୀୟ ମୁଖ୍ୟ ଭାବେ ଆର୍ଥିକ କ୍ଷମତା ପ୍ରଦାନ କରାଯାଇଛି।  ଶ୍ରୀ ମହାପାତ୍ର ନାୟକଙ୍କୁ ସରକାରୀ ଦାୟିତ୍ୱ ହସ୍ତାନ୍ତର ନ କରିବାରୁ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ଅଗଷ୍ଟ ୨୮ତାରିଖରେ ଅନ୍ୟ ଏକ ନିର୍ଦ୍ଦେଶନାମା ଜାରି କରି ତାଙ୍କୁ ସୁନ୍ଦରଗଡ଼ର ଦାୟିତ୍ୱରୁ ମୁକ୍ତ କରିଥିଲା।