୧୯୦୧ ପରେ ୨୦୨୩ ଅଗଷ୍ଟ ସବୁଠାରୁ ଶୁଖିଲା ଅଗଷ୍ଟ

ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ସଚିବ ଡକ୍ଟର ଏମ୍ ରବିଚନ୍ଦ୍ରନ କହିଛନ୍ତି ଯେ ସେପ୍ଟେମ୍ବର ୪ ପରେ ମୌସୁମୀ ଯଥେଷ୍ଟ ପୁନରୁଦ୍ଧାର କରିବ।

ବର୍ଷାର ଅଭାବ ପୂରଣ କରିପାରେ ସେପ୍ଟେମ୍ବର

ନୂଆ ଦିଲ୍ଳୀ: ୧୯୦୧ ମସିହା ପରଠାରୁ ୨୦୨୩ ଅଗଷ୍ଟରେ ଭାରତରେ ସବୁଠାରୁ ଶୁଖିଲା ଅଗଷ୍ଟ ହେବାର ସମ୍ଭାବନା ରହିଛି। କିନ୍ତୁ ସେପ୍ଟେମ୍ବର ୪ ପରେ ମୌସୁମୀ ଯଥେଷ୍ଟ ପୁନରୁଦ୍ଧାର କରିବ ବୋଲି ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସଚିବ ଡକ୍ଟର ଏମ୍ ରବିଚନ୍ଦ୍ରନ କହିଛନ୍ତି।

ଡକ୍ଟର ଏମ୍ ରବିଚନ୍ଦ୍ରନ କହିଛନ୍ତି ଯେ ଅଗଷ୍ଟରେ ବର୍ଷା ସ୍ୱାଭାବିକଠାରୁ ବହୁତ କମ୍ ରହିଛି ଏବଂ ଏଲ୍ ନିନୋ ସ୍ଥିତି ତୀବ୍ର ହେବା ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଚଳିତ ମାସରେ ସ୍ୱାଭାବିକଠାରୁ କମ୍ ବୃଷ୍ଟିପାତ ପାଇଁ ମାଡେନ୍-ଜୁଲିଆନ୍ ଅସିଲେସନ୍ (ଏମ୍ ଜେଓ) ଦାୟୀ, ଯାହା ବଙ୍ଗୋପସାଗର ଏବଂ ଆରବ ସାଗରରେ ସଞ୍ଚାଳନ ହ୍ରାସ କରିବା ପାଇଁ ଜଣାଶୁଣା। ସମ୍ଭାବ୍ୟ ଏଲ୍ ନିନୋ ପ୍ରଭାବ ଯୋଗୁଁ ମେ’ ମାସରେ ଆମେ ଜୁନ୍ ଓ ଜୁଲାଇରେ ସ୍ୱାଭାବିକ ଏବଂ ଅଗଷ୍ଟରେ ସ୍ୱାଭାବିକଠାରୁ କମ୍ ମୌସୁମୀ ବର୍ଷା ହେବ ବୋଲି ପୂର୍ବାନୁମାନ କରିଥିଲୁ। ମୋଟାମୋଟି ଭାବେ ଜୁନ୍ ପହିଲାରୁ ଅଗଷ୍ଟ ୨୯ ମଧ୍ୟରେ ଦେଶରେ ବୃଷ୍ଟିପାତ ଅଭାବ ୯ ପ୍ରତିଶତ ରହିଛି। ମୌସୁମୀ ବର୍ଷା ମେ ମାସରେ ପୂର୍ବାନୁମାନ କରାଯାଇଥିବା ଲଙ୍ଗ ପିରିୟଡ୍ ହାରାହାରି ୯୬% ତୁଳନାରେ ୨-୩% କମ୍ ହେବ ବୋଲି ଆକଳନ କରାଯାଇଛି, କିନ୍ତୁ ଏହା ତଥାପି ସ୍ୱାଭାବିକ ଶ୍ରେଣୀରେ ରହିବ। ସେପ୍ଟେମ୍ବର ୪, ୨୦୨୩ ପରେ ମୌସୁମୀ ଯଥେଷ୍ଟ ପୁନରୁଦ୍ଧାର କରିବ ବୋଲି ଆମେ ଆଶା କରୁଛୁ। ସେପ୍ଟେମ୍ବରରେ ହୋଇଥିବା ବର୍ଷା ଅଗଷ୍ଟରେ ରେକର୍ଡ ହୋଇଥିବା ଅଭାବକୁ ପୂରଣ କରିବ ବୋଲି ଆମେ ଆଶା କରୁଛୁ ବୋଲି ଶ୍ରୀ ରବିଚନ୍ଦ୍ରନ କହିଛନ୍ତି।

ଏଲ୍ ନିନୋ ହେଉଛି ଏକ ପାଣିପାଗ ଘଟଣା ଯାହା କେନ୍ଦ୍ରୀୟ ଏବଂ ପୂର୍ବ ପ୍ରଶାନ୍ତ ମହାସାଗରରେ ସମୁଦ୍ରର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ହେଲେ ହୁଏ । ଏହା ଦ୍ୱାରା ବାୟୁମଣ୍ଡଳର ଢାଞ୍ଚାରେ ପରିବର୍ତ୍ତନ ଆସିଥାଏ, ଯାହା ଫଳରେ ଉପମହାଦେଶରେ ମୌସୁମୀ ସଞ୍ଚାଳନ ଦୁର୍ବଳ ହୋଇଯାଏ । ଏଲ୍ ନିନୋ ବର୍ଷରେ ମୌସୁମୀ ଦୁର୍ବଳ ଓ କମ୍ ଭରସାଯୋଗ୍ୟ ହୋଇଥାଏ। ଯଦି ମୌସୁମୀ ସ୍ୱାଭାବିକ ବର୍ଗରେ ରହେ, ତେବେ ଏହା ଭାରତର ସ୍ୱାଭାବିକ କିମ୍ବା ସ୍ୱାଭାବିକଠାରୁ ଅଧିକ ମୌସୁମୀର କ୍ରମାଗତ ପଞ୍ଚମ ବର୍ଷ ହେବ ।