କରୋନା ଲଢେଇରେ ଭାରତର ବଡ଼ ସଫଳତା, ୨୦୦ କୋଟି ଟିକାକରଣର ଛୁଇଁଲା ମାଇଲଖୁଣ୍ଟ

ନୂଆଦିଲ୍ଲୀ: କରୋନା ଟିକାକରଣ ଅଭିଯାନରେ ଭାରତ ୨ ବିଲିୟନ ଅର୍ଥାତ ୨୦୦ କୋଟି ଡୋଜ ଟିକା ପ୍ରଦାନ କରି ଇତିହାସ ରଚିଛି । କେବଳ ୧୮ମାସରେ ଏହି ଉପଲବ୍ଧି ହାସଲ କରି ଭାରତ ଏକ ନୂଆ ମାଇଲଖୁଣ୍ଟ ଛୁଇଁଛି। ଏହା ପୂର୍ବରୁ ଗତ ବର୍ଷ ଅକ୍ଟୋବର ୨୧ ତାରିଖରେ ଟିକାକରଣରେ ୧୦୦ କୋଟି ଛୁଇଁଥିଲା ଭାରତ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି। ଏହାସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଜୁଲାଇ ୧୭, ୨୦୨୨ ଚିରଦିନ ମନେ ରଖିବାର ଦିନଟିଏ ।

ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଭାରତର ଏହି ଉପଲବ୍ଧିରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପିଏମ କହିଛନ୍ତି, ଦେଶବାସୀ ପୁଣି ଥରେ ଇତିହାସ ରଚିଛନ୍ତି । ସେ କହିଛନ୍ତି ଦେଶର ଲୋକେ ବିଜ୍ଞାନ ଉପରେ ଭରଷା କଲେ ଏବଂ ଦେଶର ଡାକ୍ତର, ନର୍ସ, ସମ୍ମୁଖ ଯୋଦ୍ଧା ସହ ବୈଜ୍ଞାନିକମାନେ ସୁରକ୍ଷିତ ପୃଥିବୀ ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।  ଟିକାର ୨୦୦ କୋଟି ଡୋଜ ପ୍ରଦାନ ସଂଖ୍ୟା ପାର କରିବା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା।