କଂଗ୍ରେସରୁ ମନ୍ମଥ ରାଉତରାୟ ନିଲମ୍ବିତ

ରାଜ୍ୟ କଂଗ୍ରେସରୁ ବରିଷ୍ଠ ନେତା ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ନିଲମ୍ବିତ ହୋଇଛନ୍ତି।

ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ

ଭୁବନେଶ୍ୱର,୮/୯: ଗତ କିଛି ଦିନ ତଳେ ବରିଷ୍ଠ ନେତା ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ଗଣମାଧ୍ୟମରେ ପ୍ରକାଶ କରିଥିଲେ ଯେ, ସେ କୌଣସି ଦଳୀୟ ବ୍ୟାନରରେ ନାହାନ୍ତି ଏବଂ ସେ କଂଗ୍ରେସରୁ ନିର୍ବାଚନ ଲଢିବେ ନାହିଁ। ଯାହାଫଳରେ ରାଜ୍ୟ କଂଗ୍ରେସରୁ ଆଜି ମନ୍ମଥ ରାଉତରାୟ ନିଲମ୍ବିତ ହୋଇଛନ୍ତି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ମନ୍ମଥଙ୍କୁ ଚିଠି ଲେଖି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଛି।

ଓପିସିସି ପକ୍ଷରୁ ଦିଆଯାଇଥିବା ଚିଠିରେ ଉଲ୍ଲେଖ ଅଛି ଯେ, “ଆପଣ ଗଣମାଧ୍ୟମରେ ସ୍ପଷ୍ଟ ଭାବେ ବୟାନ ଦେଇଥିଲେ ଆପଣ ସ୍ୱାଧୀନ ଏବଂ କୌଣସି ରାଜନୈତିକ ଦଳ ସହ ଆପଣଙ୍କର କୌଣସି ସମ୍ପର୍କ ନାହିଁ। ଯଦିଓ ଆପଣ ଜଣେ ପିସିସି ସଦସ୍ୟ ଅଟନ୍ତି, ତଥାପି ଆପଣ ପ୍ରକାଶ କରିଥିଲେ ଯେ ଆପଣ ଭାରତୀୟ ଜାତୀୟ କଂଗ୍ରେସରୁ ନିର୍ବାଚନ ଲଢିବେ ନାହିଁ। ବିଜେପି ଓ ବିଜେଡି କାର୍ଯ୍ୟାଳୟକୁ ଯିବା ପାଇଁ ଆପଣ ମୁକ୍ତ ବୋଲି ମଧ୍ୟ କହିଛନ୍ତି। ଗତକାଲି ଆପଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଥିଲା, କିନ୍ତୁ ଆପଣ ଏହାର କୌଣସି ଉତ୍ତର ଦେଇନଥିଲେ। ଓପିସିସିର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଏହାକୁ ଶୃଙ୍ଖଳାର ଘୋର ଉଲ୍ଲଂଘନ ବୋଲି ବିବେଚନା କରୁଥିବାରୁ ଆପଣଙ୍କୁ ଦଳରୁ ନିଲମ୍ବିତ କରାଯାଉଛି।”