ଭାରତ ଛାଡିଲେ ବାଇଡେନ

ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପରେ ଭାରତ ଛାଡିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

ଭିଏତନାମ ଅଭିମୁଖେ ଯାତ୍ରା

ନୂଆଦିଲ୍ଲୀ,୧୦/୯: ନୂଆଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପରେ ଭାରତ ଛାଡିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ରବିବାର ସକାଳେ ପ୍ରଥମେ ଅନ୍ୟ ପ୍ରମୁଖ ଜି-୨୦ ନେତାଙ୍କ ସହ ବାଇଡେନ ମହାତ୍ମାଗାନ୍ଧୀଙ୍କ ସ୍ମାରକୀ ରାଜଘାଟରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଭାରତରୁ ସିଧାସଳଖ ଭିଏତନାମ ଅଭିମୁଖେ ଯାତ୍ରା କରିଛନ୍ତି ବାଇଡେନ ।
ଆମେରିକାର ରାଷ୍ଟ୍ରପତି ଭାବେ ନିଜର ପ୍ରଥମ ଭାରତ ଗସ୍ତରେ ଥିବା ବାଇଡେନ ଦୁଇ ଦିନିଆ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ପ୍ରମୁଖ ପ୍ରତିରକ୍ଷା ଭାଗୀଦାରକୁ ଗଭୀର ଓ ବିବିଧ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ଭାରତର ୩୧ଟି ଡ୍ରୋନ କ୍ରୟ ଏବଂ ଜେଟ ଇଞ୍ଜିନର ମିଳିତ ବିକାଶରେ ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ ।