ସହଦେବଙ୍କ ୨ ପିଲାଙ୍କ ପାଠ ପଢା ଦାୟିତ୍ୱ ନେଲେ ବିରୋଧୀ ଦଳ ନେତା

ସହଦେବଙ୍କ ପରିବାରକୁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିଛନ୍ତି।

ନବୀନ ନିବାସରେ ନବୀନଙ୍କୁ ଭେଟିଲେ ସହଦେବଙ୍କ ପତ୍ନୀ

ଭୁବନେଶ୍ୱର, ୧୧/୦୧: ଓଡ଼ିଶାର ଶାସକ ପଦରେ ନାହାନ୍ତି ସତ, କିନ୍ତୁ ରାଜ୍ୟର ଲୋକଙ୍କ ଦୁଃଖ ସମୟରେ ପାଖରେ ଛିଡ଼ା ହେଉଛନ୍ତି ନବୀନ। ଗତ ମାସରେ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନଙ୍କୁ ଭେଟିବା ସହ କ୍ଷତିଗ୍ରସ୍ତ ଚାଷ ଜମିକୁ ବୁଲି ଦେଖିଥିଲେ। ଏହା ସହ ଆତ୍ମହତ୍ୟା କରିଥିବା ଚାଷୀଙ୍କୁ ମଧ୍ୟ ସହାୟତାର ହାତ ବଢ଼ାଇଥିଲେ। ଏବେ ପୁଣି ଶାସନ ଗାଦିରେ ନଥାଇ ମଧ୍ୟ ଗତ ଦୁଇ ଦିନ ତଳେ ରସୁଲଗଡ‌ ଓଭରବ୍ରିଜରେ ପୋଲିସ ମିତ୍ର ତଥା ସଫେଇ କର୍ମଚାରୀ ସଂଘର ସଭାପତି ସହଦେବ ନାୟକଙ୍କ ମୃତ୍ୟୁ ଘଟଣାରେ ଅସହାୟ ପରିବାରକୁ ସହାୟତାର ହାତ ବଢାଇଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ଆଜି ସହଦେବଙ୍କ ପତ୍ନୀ ନବୀନ ନିବାସରେ ତାଙ୍କୁ ଭେଟିଥିବା ବେଳେ ନବୀନ ତାଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ସହ ସହଦେବଙ୍କ ପରିବାରକୁ ନବୀନ ୫୦ ହଜାର ଟଙ୍କା ନଗଦ ପ୍ରଦାନ କରିଥିବା ବେଳେ ତାଙ୍କ ଦୁଇ ପିଲାଙ୍କ ପାଠ ପଢ଼ା ଦାୟିତ୍ୱ ନେଇଛନ୍ତି।

ସୂଚନାଯୋଗ୍ୟ, ଗତ ଦୁଇ ଦିନ ତଳେ ରସୁଲଗଡ଼ ଓ ବାଣୀବିହାର ଓଭରବ୍ରିଜରେ ବିଏମସିର ସଫେଇ କର୍ମଚାରୀ ସଂଘର ସଭାପତି ସହଦେବଙ୍କୁ ବିଭତ୍ସ ହତ୍ୟା କରିଥିଲେ କିଛି ଦୁର୍ବୃତ୍ତ। ଏହି ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ତଦନ୍ତକୁ ଆଗକୁ ବଢ଼ାଇଛି।