ମାନବ ରେବିଜକୁ ନୋଟିଫାଏବଲ ରୋଗ ଭାବେ ଘୋଷଣା

ମାନବ ରେବିଜକୁ ନୋଟିଫାଏବଲ୍ ରୋଗ ଭାବେ ଓଡ଼ିଶା ସରକାର ଘୋଷଣା କରିଛନ୍ତି।

କୁକୁର କାମୁଡିବା ଦ୍ୱାରା ହୋଇଥାଏ ଏହି ରୋଗ

ଭୁବନେଶ୍ୱର: ମାନବ ରେବିଜକୁ ନୋଟିଫାଏବଲ୍ ରୋଗ ଭାବେ ଘୋଷଣା କରିଛନ୍ତି ଓଡ଼ିଶା ସରକାର। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ରେବିଜ୍ ଏକ ଭୂତାଣୁଜନିତ ରୋଗ ଯାହା ଅନେକ ସମୟରେ ମଣିଷର ମୃତ୍ୟୁର କାରଣ ହୋଇଥାଏ। କୁକୁର କାମୁଡ଼ିବା କାରଣରୁ ୯୯ ପ୍ରତିଶତ ରେବିଜ୍ ସଂକ୍ରମଣ ହୋଇଥାଏ।

ବିଜ୍ଞପ୍ତି ଅନୁଯାୟୀ, ଯଦିଓ ରେବିଜ୍ ମାରାତ୍ମକ ଅଟେ, କିନ୍ତୁ ଠିକ୍ ସମୟରେ ଏବଂ ଉପଯୁକ୍ତ ପୋଷ୍ଟ-ଏକ୍ସପୋଜର ପ୍ରୋଫାଲେକ୍ସିସ୍ (ପିଇପି) ଦ୍ୱାରା ଏହାକୁ ପ୍ରତିରୋଧ କରାଯାଇପାରିବ। ରେବିଜ୍ ହେଉଛି ରାଜ୍ୟରେ ଜନସ୍ୱାସ୍ଥ୍ୟ ଚିନ୍ତାର ସର୍ବପୁରାତନ ସ୍ୱୀକୃତିପ୍ରାପ୍ତ ଜୁନୋଟିକ୍ ରୋଗ, ଯେଉଁଥିରେ ଯଥେଷ୍ଟ ଅସୁସ୍ଥତା, ମୃତ୍ୟୁ ହାର ଏବଂ ଅର୍ଥନୈତିକ କ୍ଷତି ହୋଇଥାଏ। ୨୦୩୦ ସୁଦ୍ଧା ରେବିଜ୍ ରୋଗର ଉଚ୍ଛେଦ ପାଇଁ ବିଶ୍ୱବ୍ୟାପୀ ଆହ୍ୱାନ ରହିଛି।

ରେବିଜ୍ ସର୍ଭେଲାନ୍ସର ସମସ୍ୟା ଓ ଆହ୍ୱାନର ମୁକାବିଲା ପାଇଁ ଦେଶରେ ଜାତୀୟ ରେବିଜ୍ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଏନଆରସିପି) କାର୍ଯ୍ୟକାରୀ କରାଯାଇଛି। ଏହି କାର୍ଯ୍ୟକ୍ରମ ଅନୁଯାୟୀ, କୌଣସି ସନ୍ଦିଗ୍ଧ, ସମ୍ଭାବ୍ୟ କିମ୍ବା ନିଶ୍ଚିତ ମାମଲା ପାଇଁ ଏକ କେସ୍ ସଂଜ୍ଞା ପ୍ରସ୍ତୁତ କରାଯାଇଛି। ଦୃଢ଼ ତଦାରଖ, ପୋଷ୍ଟ-ଏକ୍ସପୋଜର ପ୍ରୋଫାଲେକ୍ସିସ୍ ଏବଂ କେସ୍ ରିପୋର୍ଟିଂ ବ୍ୟବସ୍ଥା ମାଧ୍ୟମରେ ହିଁ ରେବିଜ୍ ର ନିରାକରଣ, ନିୟନ୍ତ୍ରଣ ଓ ନିରାକରଣ ସମ୍ଭବ। ଉପରୋକ୍ତ ସମସ୍ତ କାରଣକୁ ଦୃଷ୍ଟିରେ ରଖି ମହାମାରୀ ରୋଗ ଆଇନ ୧୮୯୭ର ଧାରା ୨ ଅନୁଯାୟୀ ଦିଆଯାଇଥିବା କ୍ଷମତାର ବ୍ୟବହାର କରି ବିଭାଗ ରେବିଜକୁ ଏକ ନୋଟିଫାଏବଲ୍ ରୋଗ ଭାବେ ଘୋଷଣା କରିଛି।