ବାସହୀନଙ୍କ ସହିତ ନୂଆଁଖାଇ ପାଳନ କଲେ ଡାକ୍ତର ଦମ୍ପତି

ଡାକ୍ତର ଦମ୍ପତି ସୁସ୍ମିତା ଦାଶ ଓ ଡାକ୍ତର ରାଜେଶ ତ୍ରିପାଠୀ ପ୍ରତ୍ୟେକ ବର୍ଷ ବାସହରାଙ୍କ ସହିତ ନୂଆଁଖାଇ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

କୃଷି ଭିତ୍ତିକ ମହାନ ଗଣପର୍ବ ନୂଆଁଖାଇ

ବରଗଡ଼: କୃଷି ଭିତ୍ତିକ ମହାନ ଗଣପର୍ବ ନୂଆଁଖାଇ ପଶ୍ଚିମ ଓଡ଼ିଶାର ପୁରପଲ୍ଲୀରେ ମହା ଆଡମ୍ବରରେ ପାଳନ ହେଉଥିବା ବେଳେ ରେଳ ଷ୍ଟେସନ ବସ ଷ୍ଟେସନ ଓ ରାତ୍ର ଆଶ୍ରୟସ୍ଥଳୀରେ ଜୀବନ କାଟୁଥିବା ଲୋକେ ଏହି ମହାନ ପର୍ବ ନୂଆଁଖାଇ ଦିନ ଅନେକ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି।ନୂଆଁଖାଇ ପର୍ବ ପାଇଁ ହୋଟେଲ ଗୁଡ଼ିକ ବନ୍ଦ ଥିବାରୁ ଏମାନଙ୍କୁ ସେଦିନ ଖାଇବା ପାଇଁ ମଧ୍ୟ ମିଳେନାହିଁ। ଏହାକୁ ହୃଦୟଙ୍ଗମ କରି ବରଗଡ଼ର ଜଣାଶୁଣା ଡାକ୍ତର ଦମ୍ପତି ସୁସ୍ମିତା ଦାଶ ଓ ଡାକ୍ତର ରାଜେଶ ତ୍ରିପାଠୀ ପ୍ରତ୍ୟେକ ବର୍ଷ ବାସହରାଙ୍କ ସହିତ ନୂଆଁଖାଇ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ମଧ୍ୟ ଏହି ଧାରା ଜାରୀ ରଖି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଡାକ୍ତର ଦମ୍ପତି।ଏଥିପାଇଁ ସମସ୍ତ ପ୍ରସ୍ତୁତି ଉତ୍ସାହର ସହିତ ଅନେକ ଦିନ ପୂର୍ବରୁ କରିଥିଲେ ଡାକ୍ତର ଦମ୍ପତି। ବାସହୀନଙ୍କ ସହିତ ନୂଆଁଖାଇବା ପୂର୍ବରୁ ସମସ୍ତଙ୍କୁ ଫୁଲ ଚନ୍ଦନ ଉତ୍ତରିଅ ଦେଇ ସମ୍ବର୍ଦ୍ଧିତ କରିଥିଲେ ଡାକ୍ତର ଦ୍ବୟ। ନିଜ ପରିବାର ଠାରୁ ନିର୍ଯାତିତ ହୋଇ ଆଶ୍ରୟସ୍ଥଳୀରେ ରହୁଥିବା ଅନ୍ତେବାସୀ ମାନେ ଡାକ୍ତର ପରିବାର ସହିତ ନୂଆଁ ଖାଇବା ସମୟରେ ଭାବବିହ୍ବଲ ହେଉଥିବା ଦେଖିବାକୁ ମିଳିଥିଲା।