ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେଲା: ପ୍ରଧାନମନ୍ତ୍ରୀ

ସଂସଦର ସର୍ବସମ୍ମତିକ୍ରମେ ଉଭୟ ଗୃହରେ ମହିଳା ସଂରକ୍ଷଣ ବିଲ୍ ପାରିତ ହେଲା ।

ସର୍ବସମ୍ମତି ଶୁଭଲକ୍ଷଣ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ସଂସଦର ସର୍ବସମ୍ମତିକ୍ରମେ ସାମ୍ବିଧାନିକ ପ୍ରକ୍ରିୟା ଅନୁସାରେ ଉଭୟ ଗୃହରେ ପାରିତ ହେଲା ମହିଳା ସଂରକ୍ଷଣ ବିଲ୍ । ଗତକାଲି ରାଜ୍ୟସଭାରେ ପୂର୍ଣ୍ଣ ସମର୍ଥନ ସହ ବିଲକୁ ଅନୁମୋଦନ ମିଳିଛି । ରାଜ୍ୟସଭାରେ ବିଲ୍ ସପକ୍ଷରେ ୨୧୫ ଭୋଟ ପଡିଥିବା ବେଳେ ବିପକ୍ଷରେ କୌଣସି ଭୋଟ ପଡିନଥିଲା । ଉଭୟ ଗୃହରେ ବିଲ ସପକ୍ଷରେ ୪୫୪ ଭୋଟ ପଡିଥିବା ବେଳେ ବିପକ୍ଷରେ ମାତ୍ର ୨ଟି ଭୋଟ ପଡିଥିଲା । ପାର୍ଲିଆମେଂଟର ଅନୁମୋଦନ ପରେ ଏବେ ନାରୀ ଶକ୍ତି ବନ୍ଦନ ବିଲ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇଁ ପଠାଯିବ । ଏହି ବିଲ କାର୍ଯ୍ୟକାରୀ ହେଲେ ଲୋକସଭା, ଦିଲ୍ଲୀ ବିଧାନସଭା ଏବଂ ସମସ୍ତ ରାଜ୍ୟର ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ମିଳିବ ।
ଐତିହାସିକ ମହିଳା ସଂରକ୍ଷଣ ବିଲ୍ ପାସ ପରେ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଖୁସି ବ୍ୟକ୍ତି କରି କହିଛନ୍ତି, ‘‘ଦୀର୍ଘ ଦିନର ସ୍ୱପ୍ନ ପୂରଣ ହୋଇଛି । ବହୁମତ ଓ ସର୍ବସମ୍ମତିକ୍ରମେ ବିଲ୍ ପାସ୍ ହୋଇଥିବାରୁ ଧନ୍ୟବାଦ । ସବୁ ଦଳ ଓ ସାଂସଦଙ୍କୁ ଅନେକ ଶୁଭେଚ୍ଛା ଜଣାଉଛି ।’’
ବିଲ୍ ପାରିତ ହୋଇଥିବାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୁସି ବ୍ୟକ୍ତ କରିବା ସହ ସମସ୍ତ ଦଳର ସାଂସଦ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଧର୍ମେନ୍ଦ୍ର କହିଛନ୍ତି,‘‘ଏହା ଭାରତର ମାତୃଶକ୍ତିର ବିଜୟ । ଭାରତର ନାଗରିକମାନଙ୍କର ବିଜୟ । ମୁଁ ଦେଶବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି । ଏହା ବହୁତ ଦିନର ଅପେକ୍ଷିତ ଓ ଆକାଂକ୍ଷିତ ଥିବା ନିଷ୍ପତିକୁ ସାହାସର ସହ ନେବାର ନେତୃତ୍ୱ ନେଲେ । ଆମ ସମାଜର ୫୦ ଭାଗ ଜନସଂଖ୍ୟା ମହିଳାମାନଙ୍କର ତାଙ୍କୁ ସଶକ୍ତିକରଣ କରାଇବାରେ, ତାଙ୍କୁ ପ୍ରଭାବଶାଳୀ ସ୍ଥାନ ଦେବାରେ, କେବଳ ଏହା ବିଧେୟକ ନୁହେଁ, ଦୀର୍ଘ ସାଢେ ୯ ବର୍ଷ କଲ୍ୟାଣକାରୀ କାର୍ଯ୍ୟକ୍ରମ ଓ ପ୍ରଶାସନିକ ନିଷ୍ପତି ନିଆଯାଇଥିବାରୁ ଦେଶରେ ଏକ ନୂଆ ଜାଗରଣ ସୃଷ୍ଟି ହୋଇଛି । ଦେଶରେ ସବୁ ଦଳ ସର୍ବସମ୍ମତି ଦେବା ଗୋଟିଏ ଜିନିଷକୁ ଏକ ଶୁଭ ଲକ୍ଷଣ ଓ ସ୍ୱାଗତଯୋଗ୍ୟ ପଦକ୍ଷେପ ଅଟେ ।’’