ଭାଇବ୍ରାଂଟ ଗୁଜୁରାଟ ଗ୍ଲୋବାଲ ସମ୍ମିଳନୀରେ ମୋଦି

ଭାଇବ୍ରାଂଟ ଗୁଜରାଟ ଗ୍ଲୋବାଲ ସମ୍ମିଳନୀର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି ।

ଛୋଟ ବିହନରୁ ବିଶାଳ ଗଛ ସୃଷ୍ଟି: ମୋଦି

ଗୁଜରାଟ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଅହମ୍ମଦାବାଦର ରୋବୋଟ ପ୍ରଦର୍ଶନୀସ୍ଥଳ ପରିଦର୍ଶନ କରିବା ସହ ଭାଇବ୍ରାଂଟ ଗୁଜରାଟ ଗ୍ଲୋବାଲ ସମ୍ମିଳନୀର ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଏବଂ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଅଛନ୍ତି । ଏହି ଭାଇବ୍ରାଂଟ ଗୁଜରାଟ ଗ୍ଲୋବାଲ ସମ୍ମିଳନୀର ୨୦ ବର୍ଷ ପୂର୍ତି ଅବସରରେ ସମ୍ବୋଧିତ କରି ମୋଦି କହିଛନ୍ତି, ‘‘ଏହି ପଦକ୍ଷେପ ୨୦ ବର୍ଷ ପୂର୍ବେ ନିଆଯାଇଥିବା ଏକ ସାହସିକ ପଦକ୍ଷେପ ଥିଲା ଏବଂ ଏହା ଏକ ବଡ ସଫଳତାରେ ପରିଣତ ହୋଇଛି । ମୁଁ ୨୦ ବର୍ଷ ପୂର୍ବେ ଏକ ଛୋଟ ବିହନ ବୁଣିଥିଲି ଏବଂ ଆଜି ଏହା ବିଶାଳ, ଜୀବନ୍ତ ଗଛରେ ପରିଣତ ହୋଇଛି । ୨୦ ବର୍ଷ ପୂର୍ବେ କେନ୍ଦ୍ର ସରକାର କୌଣସି ସହଯୋଗ କରିନଥିଲେ । ବରଂ କେନ୍ଦ୍ରମନ୍ତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମନା କରିବା ସହ ବିଦେଶୀ ନିବେଶକଙ୍କୁ ଗୁଜରାଟରେ ପୁଞ୍ଜିନିବେଶ ନ କରିବାକୁ ଧମକ ଦିଆଯାଇଥିଲା । ତଥାପି ନିବେଶକମାନେ ଆସିଥିଲେ ଏବଂ ସେମାନଙ୍କ ପାଇଁ କୌଣସି ପ୍ରୋତ୍ସାହନ ନଥିଲା । ସେମାନେ କେବଳ ସୁଶାସନ, ନିରପେକ୍ଷ ଶାସନ, ଅଭିବୃଦ୍ଧିର ସମାନ ବଂଟନଏବଂ ସ୍ୱଚ୍ଛ ସରକାର କାରଣରୁ ଆସିଛନ୍ତି ।’’
ଗୁଜରାଟ ଗସ୍ତର ଦ୍ୱିତୀୟ ଦିନରେ ଅହମ୍ମଦାବାଦରେ ସେ ଆହୁରି ମଧ୍ୟ କହିଛନ୍ତି, ‘‘ଭାଇବ୍ରାଂଟ ଗୁଜରାଟ ହେଉଛି ଏକ ଧାରଣା ଯାହା ବିଷୟରେ ଭାରତ କେବେ ଶୁଣିନଥିଲା । ଏହାର ମୂଲ୍ୟ ଦେଖିବା ପାଇଁ ଦେଶକୁ କିଛି ସମୟ ଲାଗିଲା । ପରବର୍ତୀ ସମୟରେ ଅନ୍ୟ ରାଜ୍ୟଗୁଡିକ ମଧ୍ୟ ଏଭଳି ଶିଖର ସମ୍ମିଳନୀ ପାଇଁ ଯୋଜନା କରିବା ଆରମ୍ଭ କରିଥିଲେ । ଗୁଜରାଟ ସର୍ବଦା ଏକ ବ୍ୟବସାୟୀଙ୍କ ରାଜ୍ୟ ଭାବେ ପରିଚିତ ଥିଲା । କିନ୍ତୁ ଏକବିଂଶ ଶତାବ୍ଦୀରେ ଯେତେବେଳେ ଗୁଜରାଟ ଏକ କୃଷି, ଆର୍ଥିକ, ଶିଳ୍ପ ଏବଂ ଉତ୍ପାଦନ କେନ୍ଦ୍ରରେ ପରିଣତ ହୋଇଥିଲା ସେତେବେଳେ ରାଜ୍ୟ ମଧ୍ୟ ଏହାର ବାଣିଜ୍ୟକୁ ସୁଦୃଢ କରିଥିଲା ।’’