ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ

ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳୀ

ନୂଆଦିଲ୍ଲୀ,୦୨/୧୦: ଆଜି ହେଉଛି ୧୫୪ତମ ଗାନ୍ଧୀ ଜୟନ୍ତୀ ଓ ୧୧୯ତମ ଶାସ୍ତ୍ରୀ ଜୟନ୍ତୀ । ମୋହନଦାସ କରମଚାନ୍ଦ ଗାନ୍ଧୀ ଜାତିର ପିତା, ବାପୁ ଓ ମହାତ୍ମା ଭାବରେ ପରିଚିତ । ଗାନ୍ଧିଜୀ ଅକ୍ଟୋବର ୨, ୧୮୬୯ ମସିହାରେ ଗୁଜରାଟର ପୋରବନ୍ଦରଠାରେ ଜନ୍ମଗ୍ରହଣ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ସତ୍ୟାଗ୍ରହ, ଅହିଂସା ଆନ୍ଦୋଳନ ଇତ୍ୟାଦି ହୋଇ ବ୍ରିଟିଶ ସରକାରଙ୍କ କବଳରୁ ଭାରତକୁ ରକ୍ଷା କରି ଦେଶକୁ ସ୍ୱାଧୀନତା ଦେବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।
ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଅକ୍ଟୋବର ୨, ୧୯୦୪ ମସିହାରେ ଉତରପ୍ରଦେଶର ମୁଗଲଶରାଇରେ ଜନ୍ମଗ୍ରହଣ କରିଥିଲେ । ଶାସ୍ତ୍ରୀ ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଥିଲେ ଏବଂ ଦେଶ ସ୍ୱାଧୀନତା ହେବା ପଛରେ ତାଙ୍କର ପ୍ରମୁଖ ଭୂମିକା ରହିଛି । ଦେଶ ସ୍ୱାଧୀନତା ହେବା ପରେ ଜବାହରଲାଲ ନେହେରୁଙ୍କ ସରକାରରେ ବିଭିନ୍ନ ମନ୍ତ୍ରୀ ପଦରେ ଦାୟିତ୍ୱ ତୁଲାଇଥିଲେ ।
ଗାନ୍ଧୀ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ରାଜଧାନୀ ଦିଲ୍ଲୀସ୍ଥିତ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ତାଙ୍କ ସ୍ମାରକୀରେ ମାଲ୍ୟାର୍ପଣ କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ବିଜୟ ଘାଟ ସ୍ମାରକୀରେ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ମୋଦି ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ଗାନ୍ଧୀ ଜୟନ୍ତୀ ଅବସରରେ ମୁଁ ମହାତ୍ମା ଗାନ୍ଧୀଙ୍କୁ ପ୍ରଣାମ କରୁଛି । ତାଙ୍କର କାଳଜୟୀ ଶିକ୍ଷା ଆମ ପଥକୁ ଆଲୋକିତ କରି ଚାଲିଛି । ମହାତ୍ମା ଗାନ୍ଧୀଙ୍କ ପ୍ରଭାବ ବିଶ୍ୱସ୍ତରୀୟ, ସମଗ୍ର ମାନବଜାତିକୁ ଏକତା ଓ କରୁଣାର ଭାବନାକୁ ଆଗକୁ ବଢାଇବା ପାଇଁ ପ୍ରେରଣା ଦେଉଛି । ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି ଯେ, ଜାତିର ପିତା ତଥା ଶାନ୍ତି ଓ ଅହିଂସାର ସବୁଠାରୁ ବଡ ପ୍ରବକ୍ତା ମହାତ୍ମା ଗାନ୍ଧୀଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳୀ । ଅହିଂସା, ଶାନ୍ତି, ସହିଷ୍ଣୁତା ଏବଂ ଭାରତର ସ୍ୱାଧୀନତା ସଂଗ୍ରାମ ପାଇଁ ତାଙ୍କର ଅତୁଟ ସମର୍ପଣର ଆଦର୍ଶ ଆଗାମୀ ପିଢିକୁ ପ୍ରେରଣା ଯୋଗାଇବ । ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀରେ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳୀ । ଶାସ୍ତ୍ରୀ ଜୀ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ରାଜନେତା ଥିଲେ, ଯିଏ କି ତାଙ୍କ ସ୍ଲୋଗାନ ‘‘ଜୟ ଯବାନ, ଜୟ କିଷାନ’’ରେ ଭାରତର ପ୍ରକୃତ ଭାବନାକୁ ଧରିଥିଲେ, ଯାହା ଆମ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି ।