ଏସିଆନ ଗେମସ: ଭାରତୀୟ ଖେଳାଳିଙ୍କୁ ଆଜି ଭେଟିବେ ପ୍ରଧାନମନ୍ତ୍ରୀ
ଭାରତୀୟ ଖେଳାଳିଙ୍କୁ ଆଜି ପ୍ରଧାନମନ୍ତ୍ରୀ ଭେଟିବେ।
ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
ନୂଆଦିଲ୍ଲୀ: ହାଙ୍ଗଝୌ ଏସିଆନ୍ ଗେମସରେ ଭାଗ ନେଇଥିବା ଭାରତୀୟ ଖେଳାଳିଙ୍କୁ ଆଜି ଭେଟିବେ ପ୍ରଧାନମନ୍ତ୍ରୀ। ଅପରାହ୍ନ ୪ ଟା ୩୦ରେ ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ନେସନାଲ ଷ୍ଟାଡିୟମରେ ଏ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।
ଚଳିତ ବର୍ଷ ଏସୀଆଡରେ ଐତିହାସିକ ପ୍ରଦର୍ଶନ କରିଛି ଭାରତ। ୨୦୧୮ ଏସିଆନ ଗେମସରେ ଭାରତ ୭୦ଟି ପଦକ ହାସଲ କରିଥିବା ବେଳେ ଚଳିତବର୍ଷ ୨୮ଟି ସ୍ୱର୍ଣ୍ଣ, ୩୮ଟି ରୌପ୍ୟ ଓ ୪୧ଟି ବ୍ରୋଞ୍ଜ ସହ ମୋଟ ୧୦୭ଟି ପଦକ ହାସଲ କରିଛି।
ପିଏମଓ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଏସିଆନ ଗେମସ ୨୦୨୨ରେ ଭାଗ ନେଇଥିବା ପ୍ରତ୍ୟେକ ଭାରତୀୟ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀ ଆଜି ଅପରାହ୍ନ ୪ଟା ୩୦ରେ ମେଜର ଧ୍ୟାନଚାନ୍ଦ ନେସନାଲ ଷ୍ଟାଡିୟମରେ ଭେଟିବା ସହ ଏହି କାର୍ଯ୍ୟକ୍ରମରେ ସେମାନଙ୍କ ପ୍ରଶିକ୍ଷକ, ଭାରତୀୟ ଅଲିମ୍ପିକ୍ସ ସଂଘର ଅଧିକାରୀ, ଜାତୀୟ କ୍ରୀଡ଼ା ମହାସଂଘର ପ୍ରତିନିଧି ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ଅଧିକାରୀମାନେ ମଧ୍ୟ ଯୋଗ ଦେବେ। ଏସୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ସଫଳତା ପାଇଁ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଭବିଷ୍ୟତ ପ୍ରତିଯୋଗିତା ପାଇଁ ଉତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।