ଜମ୍ମୁ-କଶ୍ମୀରରେ ଘାଟିକୁ ଖସିଲା ବସ: ୩୮ ମୃତ, ୧୯ ଆହତ

ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲାରେ ଘାଟିକୁ ବସ ଖସି ୩୮ ଜଣଙ୍କର ମୃତ୍ୟୁ ହୋଇଛି।

ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ

ନୂଆଦିଲ୍ଲୀ, ୧୫/୧୧/୨୩: ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲା ନିକଟରେ ଏକ ବସ ପ୍ରାୟ ୨୦୦ ମିଟର ତଳକୁ ଖସି ପଡ଼ିବାରୁ ୩୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯ ଜଣ ଗଭୀର ଭାବେ ଆହତ ହୋଇଛନ୍ତି। କିଶ୍ତୱାରରୁ ଜମ୍ମୁ ଅଭିମୁଖେ ଯାଉଥିବା ବସଟି ଆସର ଅଞ୍ଚଳର ଟ୍ରଙ୍ଗଲ ନିକଟରେ ରାସ୍ତାରୁ ଓଲଟି ପଡ଼ିଥିଲା।

ପୁଲିସ ଓ ଉଦ୍ଧାରକାରୀ ଦଳ ସମେତ ସ୍ଥାନୀୟ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ କ୍ଷୟକ୍ଷତିର ଆକଳନ କରିଛନ୍ତି।

ଜମ୍ମୁ-କଶ୍ମୀର ବସ୍ ଦୁର୍ଘଟଣାରେ ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି। ସେ କହିଛନ୍ତି, ,”ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲାରେ ଏତେ ସଂଖ୍ୟକ ଲୋକଙ୍କ ଜୀବନ ହାନି ବିଷୟରେ ଜାଣି ମୁଁ ଗଭୀର ଦୁଃଖିତ।”

ମୁଖ୍ୟମନ୍ତ୍ରୀ ମୃତକଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କରିବା ସହ ଏହି ଦୁଃଖସମୟରେ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ସହ ମୋର ସମବେଦନା ଓ ପ୍ରାର୍ଥନା ରହିଛି ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।