ଭାରତ ଦୁନିଆ ପାଇଁ ସ୍ୱଚ୍ଛ ଉର୍ଜାର ନୂଆ ମଡେଲ୍ ତିଆରି କରୁଛି – ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀ ଦୁନିଆକୁ ମିଶନ ଲାଇଫର ମନ୍ତ୍ର ଦେଇଛନ୍ତି, କୋଟକ୍ ସ୍କୁଲ ଏହି ମନ୍ତ୍ର ଆଧାରରେ ସଷ୍ଟେନବିଲଟିର ସବୁ ଫ୍ୟାକ୍ଟର ପର୍ଯ୍ୟନ୍ତ ଏକ ନୂଆ ମଡେଲ ତିଆରି କରିବ ବୋଲି ଆଶା

କୋଟକ୍ ସ୍କୁଲ୍ ଅଫ୍ ସଷ୍ଟେନବିଲିଟିର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର, ଡିସେମ୍ବର ୧୪ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଆଜି ଦୁନିଆର ପ୍ରଗତିଶୀଳ ରାଷ୍ଟ୍ର ଏବଂ ଗ୍ଲୋବାଲ ସାଉଥ୍ ପାଇଁ ଏକ ଉଦାହରଣ ଭାବରେ ଆଗକୁ ଆସିଛି । ମୋଦିଙ୍କ ନେତୃତ୍ୱରେ ଭାରତ ଦୁନିଆ ପାଇଁ ଇଣ୍ଟରନ୍ୟାସନାଲ ସୋଲାର ଆଲିଆନ୍ସ, ଜୈବଇନ୍ଧନ ଓ ହାଇଡ୍ରୋଜେନ ଇନ୍ଧନ ଭଳି ଉର୍ଜା ରୂପାନ୍ତରଣର ନୂଆ ମଡେଲ୍ ତିଆରି କରୁଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆଜି ନୂଆଦିଲ୍ଲୀ ଠାରେ ଆଇଆଇଟି କାନପୁର ଏବଂ କୋଟକ୍ ବ୍ୟାଙ୍କ୍ ଦ୍ୱାରା ସ୍ଥାପିତ ହୋଇଥିବା ‘କୋଟକ୍ ସ୍କୁଲ୍ ଅଫ୍ ସଷ୍ଟେନବିଲିଟି’ର ଶୁଭାରମ୍ଭ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଆଜି ଦୁନିଆ ଯେଉଁଭଳି ଭାବରେ ଆହ୍ୱାନ ଦେଇ ଗତି କରୁଛି, ତାହାର ସମାଧାନ ପାଇଁ ସଷ୍ଟେନବିଲିଟି ଉପରେ ଅନୁସନ୍ଧାନ ଏବଂ ବିକାଶ କରିବା ଜରୁରି ଅଟେ ଏବଂ ଏଥିପାଇଁ ପ୍ରଥମ ଥର ପାଇଁ ଜାତୀୟ ଶିକ୍ଷା ନୀତିରେ ଦର୍ଶାଯାଇଥିବା ଜାତୀୟ ଗବେଷଣା ପ୍ରତିଷ୍ଠାନ(ଏନଆରଏଫ) ମାଧ୍ୟମରେ ଗବେଷଣା ଉପରେ ଜୋର୍ ଦିଆଯାଉଛି ।

ପ୍ରଧାନମନ୍ତ୍ରୀ ମୋଦି ଦୁନିଆକୁ ମିଶନ ଲାଇଫର ମନ୍ତ୍ର ଦେଇଛନ୍ତି । କୋଟକ୍ ସ୍କୁଲ ଏହି ମନ୍ତ୍ର ଅନୁସରଣ କରି ସଷ୍ଟେନବିଲିଟିର ସବୁ ଫ୍ୟାକ୍ଟର ପର୍ଯ୍ୟନ୍ତ ଏକ ନୂଆ ମଡେଲ ତିଆରି କରୁ, ଯେଉଁ ମଡେଲ କେବଳ ଭାରତର ଆବଶ୍ୟକତା ପୂରଣ କରିବ ନାହିଁ ବରଂ ବିଶ୍ୱର ଗରିବ ଓ ପ୍ରଗତିଶୀଳ ଦେଶ ପାଇଁ ନୂଆ ମାର୍ଗ ପ୍ରଶସ୍ତ କରିବ । ଆମକୁ ନିଜ ପିଲାଙ୍କୁ ପିଲା ଦିନରୁ ହିଁ ସଷ୍ଟେନବିଲିଟି ବିଷୟରେ ବୁଝାଇବା ଆବଶ୍ୟକ । ଯଦି ପିଲା ବେଳୁ ସଷ୍ଟେନବିଲିଟି ଉପରେ ପିଲାମାନେ ବୁଝିବେ ତେବେ ଭବିଷ୍ୟତରେ ସେ ଭାରତ ତଥା ସମଗ୍ର ବିଶ୍ୱକୁ ନେତୃତ୍ୱ ଦେବାରେ ସମର୍ଥ ହେବେ ।

ଆମର ନିଜର ସମଗ୍ର ଓ୍ୱାର୍କଫୋର୍ସକୁ ମଧ୍ୟ ଗ୍ରୀନ ଓ୍ୱାର୍କଫୋର୍ସରେ ପରିଣତ କରିବା ଦରକାର । ଆମକୁ ଉର୍ଜା ସଂରକ୍ଷଣ ସହ ଓ୍ୱେଷ୍ଟ ଟୁ ଓ୍ୱେଲଥ୍ ବିଷୟରେ ସଚେତନ କରିବାକୁ ପଡିବ ଏବଂ ଭବିଷ୍ୟତରେ ସଷ୍ଟେନବିଲଟି କେବଳ ଆମ ପାଇଁ ଏକ ସ୍ଲୋଗାନ, ନୀତି କିମ୍ବା ରଣନୀତି ହେବା ଉଚିତ ନୁହେଁ ବରଂ ଆମ ସମସ୍ତଙ୍କୁ ଏହି ଦାୟିତ୍ୱ ନେବାକୁ ପଡିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।