ମୋ ପ୍ରତି ରାଜ୍ୟ ସରକାରଙ୍କ ବିଦ୍ୱେଷ ମନୋଭାବ: ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି

ଲକ୍ଷ୍ମୀସାଗର ୪୩ ନମ୍ବର ୱାର୍ଡରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ବିରୋଧ ପରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

ବିରୋଧ ପରେ ଅପରାଜିତାଙ୍କ ସଭା

ଭୁବନେଶ୍ବର, ୨୬/୧୨/୨୩: ଭୁବନେଶ୍ବର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଲକ୍ଷ୍ମୀସାଗର ୪୩ ନମ୍ବର ୱାର୍ଡରେ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯିବା ବେଳେ ତାଙ୍କୁ ସେଠାରେ ବିରୋଧ କରାଯାଇଥିଲା। ତାଙ୍କ ଗାଡିକୁ କିଛି ମହିଳା ଅଟକାଇଥିଲେ। ଯାହା ପରେ ସାଂସଦ ଅପରାଜିତା ବୁଦ୍ଧେଶ୍ୱର କଲୋନୀରେ ସଭା ଆୟୋଜନ କରି କିଛି ଲୋକ ତାଙ୍କୁ ବିରୋଧ କରି ତାଙ୍କୁ ଆହୁରି ପ୍ରେରଣା ଯୋଗାଇଛନ୍ତି ବୋଲି କହିଛନ୍ତି।

ଅପରାଜିତା କହିଛନ୍ତି, ରାଜନୀତିକୁ ୩ଟି ଲକ୍ଷ୍ୟ ନେଇ ଆସିଥିଲି। ଲୋକସେବା, ଲୋକନୀତିର ସଠିକ୍‌ ପ୍ରଣୟନ ଓ ବିକାଶ ମୋର ପ୍ରଧାନ ଲକ୍ଷ୍ୟ। ଲୋକମାନେ ଡାକିବାରୁ ଏଠାକୁ ଆସିଥିଲି, କିନ୍ତୁ ଏଠାରେ ୨/୪ ଜଣ ବିରୋଧ କଲେ। କିଛି ଲୋକ ମୋତେ ବିରୋଧ କରି ଆହୁରି ପ୍ରେରଣା ଦେଇଛନ୍ତି। ଯେଉଁ ରେଟ୍‌ରେ କାମ କରୁଛି ଆହୁରି ତ୍ବରାନ୍ବିତ କରିବି। ଖୁବଶୀଘ୍ର ଏହି ସ୍ଥାନରେ ପଦଯାତ୍ରା କରି ଲୋକଙ୍କ ସମସ୍ୟା ମଧ୍ୟ ବୁଝିବି।

ଗସ୍ତ ପୂର୍ବରୁ ଅପରାଜିତା ଭୁବନେଶ୍ବର ଡିସିପିଙ୍କୁ ସୁରକ୍ଷା ମାଗିଥିଲେ ବୋଲି କହିଛନ୍ତି। ଏହା ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ତାଙ୍କ କ୍ଷୋଭ ପ୍ରକାଶ କରିଛନ୍ତି। ଚିଠିରେ ଲେଖିଛନ୍ତି, “ଲକ୍ଷ୍ମୀସାଗର ୪୩ ନଂ ୱାର୍ଡରେ ମୋତେ ଅଟକ ରଖାଯାଇଥିଲା, କିଛି ଅସାମାଜିକ ବ୍ୟକ୍ତିଙ୍କ ଦ୍ୱାରା ୨ ଘଣ୍ଟା ଧରି ଅଟକ ରଖାଯାଇଥିଲା। ଏହା ମୋ ପ୍ରତି ରାଜ୍ୟ ସରକାରଙ୍କ ବିଦ୍ବେଷ ମନୋଭାବ। ଏକ ସଭାକୁ ଯାଉଥିବା ବେଳେ ମୋ କାର୍‌ ଅଟକାଇଥିଲେ। ପୋଲିସକୁ ଅପେକ୍ଷା କରି କାର୍‌ରେ ୨ ଘଣ୍ଟା ବସି ରହିଥିଲି। ମୋ ୨ ଘଣ୍ଟା ସମୟ ନଷ୍ଟ ହେଲା। ଏହା ରାଜ୍ୟ ସରକାରଙ୍କ ବିଦ୍ବେଷ ମନୋଭାବକୁ ଦର୍ଶାଉଛି। ନଷ୍ଟ ହୋଇଥିବା ମୋ ସମୟର କିଭଳି ଭରଣା କରିବେ ସରକାର ?
ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡକୁ ୫ ମିନିଟ୍‌ ପାଇଁ ଅଟକାଇ ହେବ କି ?
ସୁରକ୍ଷାକୁ ନେଇ ସରକାରଙ୍କ ଏଭଳି ପାତରଅନ୍ତର ମୋତେ ଆଘାତ ଦେଇଛି।”