ଗୁଆ-ଚାଉଳ ଦେଇ ନିମନ୍ତ୍ରଣ ରକ୍ଷା କଲେ ନବୀନ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇଛି।

ପବିତ୍ର କାମ ପାଇଁ ରାଜ୍ୟ ସରକାର ଯୋଗାଇ ଦେବେ ସମସ୍ତ ପ୍ରକାର ସହାୟତା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୨୬/୧୨/୨୩: ଶ୍ରୀକ୍ଷେତ୍ରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଗଲା ନିମନ୍ତ୍ରଣ ପତ୍ର। ଆସନ୍ତା ଜାନୁଆରୀ ୧୭ ତାରିଖରେ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି।

ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ଓ ଜିଲ୍ଲା ପ୍ରଶାସନକୁ ନେଇ ୫୦ ଜଣିଆ ପ୍ରତିନିଧି ଦଳ ଆଜି ନିମନ୍ତ୍ରଣ ପତ୍ର ନେଇ ଯାଇଥିଲେ। ଆଜି ଭୁବନେଶ୍ୱରରେ ପ୍ରଥମେ ମହାପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରିବା ପରେ ପ୍ରତିନିଧି ଦଳ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରଙ୍କୁ ଭେଟିଥିଲେ।

ମୁଖ୍ୟମନ୍ତ୍ରୀ ସମସ୍ତ ସେବକଙ୍କୁ ଉତ୍ତରିଆ ଦେଇ ସମ୍ମାନିତ କରିଥିଲେ। ଏହା ସହ ନିମନ୍ତ୍ରଣକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ମହାପ୍ରଭୁ ଜଗନ୍ନାଥଙ୍କୁ ‘ଗୁଆ-ଚାଉଳ’ ଅର୍ପଣ କରିଥିଲେ। ଏହି ପବିତ୍ର କାମ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମନ୍ଦିର ସେବାୟତଙ୍କ ସହ ଆଲୋଚନା କରି ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ କହିଛନ୍ତି ଯେ ପୁରୀବାସୀଙ୍କ ବଳିଦାନ ଯୋଗୁଁ ପରିକ୍ରମା ପ୍ରକଳ୍ପ ବାସ୍ତବରୂପ ନେଇଛି। ପୁରୀର ବିକାଶ ଓ ପୁରୋହିତଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଯାହା ଆବଶ୍ୟକ ତାହା କରିବେ ବୋଲି ସେ କହିଛନ୍ତି।