ଛାତ୍ରଛାତ୍ରୀଙ୍କ ଶିକ୍ଷଣକୁ ସକରାତ୍ମକ ଢଙ୍ଗରେ ପରିବର୍ତ୍ତନ କରନ୍ତୁ: ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଆଜି ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ସ୍କୁଲରେ ୪୮୨ ଜଣ ପିଜିଟି ଶିକ୍ଷକ ଯୋଗ ଦେଇଛନ୍ତି।

ଯୋଗ ଦେଲେ ୪୮୨ ପିଜିଟି ଶିକ୍ଷକ

ଭୁବନେଶ୍ଵର,୨୯/୧୨/୨୩: ରାଜ୍ୟର ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ୪୮୨ ଜଣ ସ୍ନାତକୋତ୍ତର ଶିକ୍ଷକ ଯୋଗ ଦେଇଛନ୍ତି। ଏଭଳି ସ୍କୁଲରେ ଯୋଗ ଦେଇଥିବା ପିଜିଟି ଶିକ୍ଷକଙ୍କ ଏହା ହେଉଛି ପ୍ରଥମ ବ୍ୟାଚ୍। ଏଥିପାଇଁ ଲୋକସେବା ଭବନସ୍ଥିତ ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏକ ଯୋଗଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ନୂତନ ଶିକ୍ଷକମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶିକ୍ଷକମାନଙ୍କୁ ଅତ୍ୟାଧୁନିକ ଶୈକ୍ଷିକ ଦକ୍ଷତା ବିଷୟରେ ନିଜକୁ ଅପଡେଟ୍ ରଖିବା ଏବଂ ଶିକ୍ଷାଦାନକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଆଇଟିକୁ ଏକ ଉପକରଣ ଭାବରେ ବ୍ୟବହାର କରିବାକୁ ଆହ୍ୱାନ ଦେଇଥିଲେ।

ବିଭିନ୍ନ ବିଷୟରେ ସେମାନଙ୍କର ଗଭୀର ଜ୍ଞାନ ଏବଂ ପାରଦର୍ଶିତା ଶ୍ରେଣୀଗୃହ ପରିବେଶରେ ପରିବର୍ତ୍ତନ ଆଣିବ ଏବଂ ଛାତ୍ରଛାତ୍ରୀଙ୍କ ଶିକ୍ଷଣକୁ ସକାରାତ୍ମକ ଭାବରେ ପ୍ରଭାବିତ କରିବ ବୋଲି ସେ କହିଥିଲେ।

ସମସ୍ତ ଶିକ୍ଷକ ମାନେ ନିଷ୍ଠାର ସହ ନିଜ କର୍ତ୍ତବ୍ୟ ନିର୍ବାହ କରିବେ, ରାଜ୍ୟର ରୂପାନ୍ତରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ଏବଂ ଏହାକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ।

ଏହି ଅବସରରେ ଶିକ୍ଷକ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇ ସେ କହିଥିଲେ ଯେ ଶିକ୍ଷା ହିଁ ଆମଭବିଷ୍ୟତ ନିର୍ଦ୍ଧାରଣ କରିଥାଏ। ଏହା ଏକ ଉନ୍ନତ ସମାଜ ର ବିକାଶ ପାଇଁ ମୌଳିକ ସହାୟତା ପ୍ରଦାନ କରିଥାଏ। ଶିକ୍ଷାର ଗୁଣବତ୍ତା ହେଉଛି ବ୍ୟକ୍ତିଗତ ଏବଂ ସାମାଜିକ ବିକାଶର ଅନ୍ୟତମ ସୂଚକ। ତେଣୁ ତାଙ୍କ ସରକାର ଶିକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ୫-ଟି ପଦକ୍ଷେପ ଅଧୀନରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ଭିତ୍ତିଭୂମି ଏବଂ ଶିକ୍ଷଣ ଅଭିଜ୍ଞତା ବୃଦ୍ଧି ପାଇଁ ଆଇଟି ଉପକରଣର ବ୍ୟବହାର କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛନ୍ତି। ୧୧୦ଟି ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ସ୍ତରକୁ ଉନ୍ନୀତ କରାଯାଇଛି ଏବଂ ଚଳିତ ବର୍ଷ କେବଳ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି।

ବୈଷୟିକ ଓ ବୃତ୍ତିଗତ ଶିକ୍ଷାର ମାର୍ଗରେ ଅଗ୍ରସର ହେଉଥିବା ଛାତ୍ରଛାତ୍ରୀଙ୍କ କ୍ୟାରିୟର ପାଇଁ ଉଚ୍ଚ ମାଧ୍ୟମିକ ସ୍ତର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ଛାତ୍ରଛାତ୍ରୀଙ୍କୁ ସର୍ବୋତ୍ତମ ଉପାୟରେ ଗଢ଼ିତୋଳିବା ପାଇଁ ନିଜକୁ ଉତ୍ସର୍ଗ କରିବାକୁ ସେ ଶିକ୍ଷକମାନଙ୍କୁ ଅନୁରୋଧ କରିଥିଲେ।

ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ନବନିଯୁକ୍ତ ଶିକ୍ଷକମାନଙ୍କୁ ଅଭିନନ୍ଦନ ଜଣାଇବା ସହ କହିଥିଲେ ଯେ ବର୍ତ୍ତମାନର ନିଯୁକ୍ତିରୁ ସେମାନଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ହେଉଛନ୍ତି ମହିଳା। ଏହା ରାଜ୍ୟରେ ମହିଳାଙ୍କ ବଢୁଥିବା ସ୍ଥିତି ଏବଂ ସେମାନଙ୍କ ସଶକ୍ତୀକରଣର ସଙ୍କେତ ବୋଲି ସେ କହିଛନ୍ତି।

ଦୁଇ ନୂଆ ଶିକ୍ଷକ ରଶ୍ମି ମିଶ୍ର ଓ ଇପ୍ସିତା ବେହେରା ସେମାନଙ୍କ ଅନୁଭୂତି ବାଣ୍ଟି କହିଛନ୍ତି ଯେ ୫-ଟି ପଦକ୍ଷେପ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛି। ଏହି କାରଣରୁ ପୂରା ନିଯୁକ୍ତି ପ୍ରକ୍ରିୟା ମାତ୍ର ୪ ମାସରେ ଶେଷ ହୋଇଥିଲା।

ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଅଶ୍ୱତୀ ଏସ୍ ସ୍ୱାଗତ ଭାଷଣ ଦେଇଥିବା ବେଳେ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।