ଅଲବିଦା ରତନ! ୱର୍ଲି ଶ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ

ପଞ୍ଚଭୂତରେ ବିଲୀନ ହେଲେ ରତନ ଟାଟା।

ରତନଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

ମୁମ୍ବାଇ, ୧୦/୧୦: ପଞ୍ଚଭୂତରେ ବିଲୀନ ହେଲେ ଭାରତର ଶିଳ୍ପ ରତ୍ନ ରତନ ଟାଟା। ମୁମ୍ବାଇର ୱର୍ଲି ଶ୍ମଶାନରେ ଶେଷ ବିଦାୟ ନେଲେ ଶ୍ରୀ ଟାଟା। ପାର୍ସୀ ରୀତିନୀତିରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ମରଶରୀରକୁ ଗୁରୁବାର ଦକ୍ଷିଣ ମୁମ୍ବାଇର ନ୍ୟାସନାଲ ସେଣ୍ଟର ଫର ପର୍ଫର୍ମିଂ ଆର୍ଟସ (ଏନସିପିଏ)କୁ ନିଆଯାଇଥିଲା। ସେଠାରେ ସର୍ବସାଧାରଣଙ୍କ ଶେଷ ଦର୍ଶନ ପାଇଁ ରଖାଯାଇଥିଲା। ଟାଟାଙ୍କ ଶେଷ ଦର୍ଶନ କରିଥିଲେ ବହୁ ବିଶିଷ୍ଟ ବ୍ୟକ୍ତି। ବିଶିଷ୍ଟ ଶିଳ୍ପପତିଙ୍କ ଠାରୁ ଆରମ୍ଭ କରି ଅଭିନେତା, ରାଜନେତା ଓ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଟାଟାଙ୍କ ଶେଷ ଝଲକ ଦେଖିବା ପାଇଁ ଭିଡ ଲଗାଇଥିଲେ। ଟାଟାଙ୍କ ଶେଷକୃତ୍ୟ ସମ୍ପନ୍ନ ପୂର୍ବରୁ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ବୁଧବାର ବିଳମ୍ବିତ ରାତିରେ ଦକ୍ଷିଣ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ରତନ ଟାଟାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ଟାଟା ଗ୍ରୁପର ଅଧ୍ୟକ୍ଷ ରତନ ଟାଟାଙ୍କ ବୟସ ୮୬ ବର୍ଷ ବୟସ ହୋଇଥିଲା। ବୟସଜନିତ ସମସ୍ୟା ଓ ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ଟାଟାଙ୍କୁ ଅକ୍ଟୋବର ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଟାଟାଙ୍କ ମୃତ୍ୟୁ ପରେ ସାରା ଦେଶରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ତାଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦେଶ ବିଦେଶରୁ ଶୋକର ସୁଅ ଛୁଟିଥିଲା। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, ଏନସିପି ନେତା ପ୍ରଫୁଲ୍ଲ ପଟେଲ ଏବଂ ଏନସିପି ନେତା ଶରଦ ପାୱାରଙ୍କ ସମେତ ମହାରାଷ୍ଟ୍ର ସମେତ ଦେଶର ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷମାନେ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବାଣିଜ୍ୟ ମନ୍ତ୍ରୀ ପିୟୂଷ ଗୋୟଲ ଏନସିପିଏ ଯାଇ ତାଙ୍କୁ ଶେଷ ଦର୍ଶନ କରିଛନ୍ତି। ମୁକେଶ ଅମ୍ବାନୀ ଓ ପତ୍ନୀ ନିତା ଅମ୍ବାନୀ ମଧ୍ୟ ଟାଟାଙ୍କ ଅନ୍ତିମ ଦର୍ଶନ କରିଥିଲେ।

ମହାରାଷ୍ଟ୍ର ସରକାର ସ୍ୱର୍ଗତ ଶିଳ୍ପପତିଙ୍କୁ ସମ୍ମାନ ଜଣାଇ ଅକ୍ଟୋବର ୧୦ ଗୁରୁବାରକୁ ରାଷ୍ଟ୍ରୀୟ ଶୋକ ଦିବସ ଭାବେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘୋଷଣା କରିଛନ୍ତି। ମୁମ୍ବାଇର ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରିଛନ୍ତି ରାଜ୍ୟ ସରକାର।

ସବୁଠାରୁ ବଡ କଥା ହେଉଛି, ଗୋଆ ନାମକ ରତନ ଟାଟାଙ୍କ ଏକ ପୋଷା କୁକୁର ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆସିଥିଲା। ଗୋଆରେ ଟାଟା କିଛି ବର୍ଷ ପୂର୍ବେ ‘ଗୋଆ’କୁ ଠାବ କରିଥିଲେ, ଯେଉଁଥିପାଇଁ ତାଙ୍କୁ ତାଙ୍କର ନାମ ମିଳିଥିଲା। ଏହାପରେ ସେ ଟାଟା ଗ୍ରୁପର ମୁଖ୍ୟାଳୟ ବମ୍ବେ ହାଉସରେ ରହୁଛନ୍ତି।