ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ

କୋରାପୁଟର ଆଦିବାସୀ ମହିଳା ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ଥିବା କାରଣରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଡାକ୍ତରଖାନାରେ ଭର୍ତ୍ତି

କୋରାପୁଟ, ୦୪/୦୧/୨୩: କୋରାପୁଟର ଆଦିବାସୀ ମହିଳା ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ହୋଇପଡ଼ିଥିବା କାରଣରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ସେଠାରେ ଚିକିତ୍ସା ଚାଲିଛି। କମଳା ରକ୍ତହୀନତାରେ ପୀଡ଼ିତ ଥିବା ଜଣାପଡିଛି।

ଗତ ବର୍ଷ ଅଗଷ୍ଟ ମାସରେ କମଳାଙ୍କୁ ଜ୍ୱର ଓ ଅସୁସ୍ଥତା କାରଣରୁ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

କୋରାପୁଟ ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା, ପୌର ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ବିଡିଓ ଶକ୍ତି ମହାପାତ୍ର ଡାକ୍ତରଖାନାରେ ତାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଜିଲ୍ଲା ଅଧିକାରୀମାନେ ହସ୍ପିଟାଲ ଅଧୀକ୍ଷକ ରବୀନ୍ଦ୍ର ନାଥ ମିଶ୍ର ଓ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ସହ ଫୋନ୍ ଯୋଗେ ଆଲୋଚନା କରିଛନ୍ତି।