ଆସନ୍ତା କାଲିଠୁ ଟ୍ରକ୍ ଚାଳକଙ୍କ ‘ଷ୍ଟିୟରିଂ ହ୍ଵିଲ୍ ଛାଡ଼’ ଆନ୍ଦୋଳନ

ଆସନ୍ତା କାଲିଠୁ ଓଡିଶାର ଟ୍ରକ୍ ଚାଳକମାନେ ଷ୍ଟିୟରିଂ ହ୍ଵିଲ୍ ଛାଡ଼ ଆନ୍ଦୋଳନରେ ସାମିଲ ହେବେ।

‘ହିଟ୍ ଆଣ୍ଡ ରନ୍’ ଆଇନକୁ ବିରୋଧ

ଭୁବନେଶ୍ବର, ୦୪/୦୧/୨୪: ଗତ ବର୍ଷ ସଂସଦରେ ପାରିତ ହୋଇଥିବା ଭାରତୀୟ ନ୍ୟାୟ ସଂହିତା ବିଲ୍ ଅଧିନରେ ‘ହିଟ ଆଣ୍ଡ ରନ’ ଆଇନକୁ ନେଇ ଦେଶବ୍ୟାପୀ ଦେଖାଯାଉଛି ବିରୋଧ। ‘ହିଟ୍ ଆଣ୍ଡ ରନ୍’ ମାମଲାର ଏହି ନୂଆ ଆଇନରେ ଦୋଷୀଙ୍କୁ ୧୦ ବର୍ଷ ଜେଲ୍ ଓ ୭ ଲକ୍ଷ ଟଙ୍କା ଜୋରିମାନାର ବ୍ୟବସ୍ଥା ରହିଛି। ଯାହାକି ବିବାଦର କେନ୍ଦ୍ରବିନ୍ଦୁ।

କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ନୂଆ ‘ହିଟ୍ ଆଣ୍ଡ ରନ୍’ ଆଇନକୁ ବିରୋଧ କରି ଟ୍ରକ୍ ଚାଳକମାନେ ଡାକରା ଦେଇଛନ୍ତି ‘ଷ୍ଟିୟରିଂ ହ୍ଵିଲ୍ ଛାଡ଼’ ଆନ୍ଦୋଳନ। ଦେଶବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାଲିଥିବା ଏହି ଆନ୍ଦୋଳନରେ ଓଡ଼ିଶା ଡ୍ରାଇଭର ମହାସଂଘର ସଦସ୍ୟମାନେ ସାମିଲ ହେବେ ବୋଲି ଗୁରୁବାର ଘୋଷଣା କରାଯାଇଛି।

ଓଡ଼ିଶା ଡ୍ରାଇଭର୍ସ ମହାସଂଘର ସଭାପତି ପ୍ରଶାନ୍ତ ମେନ୍ଦୁଲିଙ୍କ କହିବାନୁଯାୟୀ, ସେମାନେ ଆଜି ଧର୍ମଘଟରେ ସାମିଲ ହେବାକୁ ଚାହୁଁଥିଲେ ମଧ୍ୟ ନିଜ ଗାଡ଼ିକୁ ମାଲିକଙ୍କୁ ହସ୍ତାନ୍ତର କରିବା ପାଇଁ ଏହାକୁ ଗୋଟିଏ ଦିନ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ସେମାନେ ଧର୍ମଘଟରେ ସାମିଲ ହେବେ ବୋଲି ସେ କହିଛନ୍ତି।