ପ୍ରକାଶ ପାଇଲା ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା

ଆଜି ପ୍ରକାଶ ପାଇଛି ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା। ତାଲିକାରେ ୧୨ ଲକ୍ଷ ୯୭ ହଜାର ୯୫୪ ଜଣ ନୂଆ ଭୋଟର ଯୋଡି ହୋଇଛନ୍ତି।

୩.୩୨ କୋଟି ମୋଟ ଭୋଟର: ସିଇଓ

ଭୁବନେଶ୍ବର, ୦୫/୦୧/୨୦୨୪: ଆଜି ପ୍ରକାଶ ପାଇଛି ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା। ରାଜ୍ୟ ନିର୍ବାଚନ ଆୟୋଗ ମୁଖ୍ୟାଳୟରେ ପ୍ରେସମିଟରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ।

ସୂଚନାନୁସାରେ, ଚଳିତ ଥର ଜାନୁଆରୀ ୫ ସୁଦ୍ଧା ମୋଟ୍ ଭୋଟର ସଂଖ୍ୟା ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ରହିଛି। ଏହା ସହ ଭୋଟର ତାଲିକାରେ ୧୨ ଲକ୍ଷ ୯୭ ହଜାର ୯୫୪ ଜଣ ନୂଆ ଭୋଟର ଯୋଡି ହୋଇଛନ୍ତି। ସେଥି ମଧ୍ୟରୁ ଯୁବ ଭୋଟର ସଂଖ୍ୟା ୭ ଲକ୍ଷ ୫୪ ହଜାର ୯୪୬ ରହିଛି। ୬ ଲକ୍ଷ ୮୫ ହଜାର ୪୮ ଜଣ ହେଉଛନ୍ତି ୮୦ ବର୍ଷରୁ ଊର୍ଦ୍ଧ୍ବ ବୟସର ଭୋଟର। ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ୫୦ ହଜାର ୯୪୯ ରହିଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୧ କୋଟି ୬୩ ଲକ୍ଷ ୮୨ ହଜାର ୩୧ ରହିଛି। ଏତଦ୍ ବ୍ୟତୀତ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ୪ ଲକ୍ଷ ୫୭ ହଜାର ୮୨୧ ରହିଥିବା ବେଳେ ତୃତୀୟ ଲିଙ୍ଗୀ ଭୋଟରଙ୍କ ସଂଖ୍ୟା ୩୩୮୦ ବୋଲି ସୂଚନା ମିଳିଛି। ସେହିପରି ୭ ଲକ୍ଷ ୧୬ ହଜାର ୮୦୭ ଜଣ ଭୋଟରଙ୍କୁ ବାଦ୍ ଦିଆଯାଇଛି। ୪ ଲକ୍ଷ ୨୨ ହଜାର ୬୩୮ ଜଣ ଭୋଟରଙ୍କ ତଥ୍ୟ ବଦଳିଛି।

ଶ୍ରୀ ନିକୁଞ୍ଜ ବିହାରୀଙ୍କ ସୂଚନାନୁଯାୟୀ, ଚଳିତ ବର୍ଷ ୨୦୧୯ ତୁଳନାରେ ମହିଳା ଭୋଟର ଅନୁପାତ ବୃଦ୍ଧି ପାଇଛି। ୨୦୧୯ରେ ପ୍ରତି ହଜାରେ ପୁରୁଷରେ ୯୪୬ ମହିଳା ଭୋଟର ଥିଲେ। ଏଥର ପ୍ରତି ହଜାରେ ପୁରୁଷରେ ୯୭୨ ମହିଳା ଭୋଟର ଅଛନ୍ତି। ଚଳିତ ବର୍ଷ ଭୋଟର ତାଲିକାରେ ସାମିଲ ହେବା ପାଇଁ ଲକ୍ଷାଧିକ ଲୋକେ ଆବେଦନ କରିଥିଲେ।