ବିଜେଡିରେ ଯୋଗଦେଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି

କଂଗ୍ରେସର ବିଶିଷ୍ଟ ନେତା ଅଂଶୁମାନ ମହାନ୍ତି ଆଜି ଶଙ୍ଖ ଭବନରେ ବିଜେଡିରେ ବିଧିବଦ୍ଧ ଭାବରେ ଯୋଗ ଦେଇଛନ୍ତି।

ନିକଟରେ ହାତ ଛାଡିଥିଲେ ଅଂଶୁମାନ

ଭୁବନେଶ୍ବର, ୧୬/୦୨/୨୦୨୪: ବିଜୁ ଜନତା ଦଳରେ ଆଜି ଯୋଗ ଦେଇଛନ୍ତି ପୂର୍ବତନ ବିଧାୟକ ତଥା ବିଶିଷ୍ଟ କଂଗ୍ରେସ ନେତା ଅଂଶୁମାନ ମହାନ୍ତି। ବିଜେଡିର ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଅଂଶୁମାନ ମହାନ୍ତି ଶାସକ ବିଜୁ ଜନତା ଦଳର ସଦସ୍ୟତା ଗ୍ରହଣ କରିଥିଲେ।

ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ସମେତ ବହୁ ବରିଷ୍ଠ ବିଜେଡି ନେତାଙ୍କ ଉପସ୍ଥିତିରେ ଅଂଶୁମାନ ବିଜେଡିରେ ଯୋଗ ଦେଇଛନ୍ତି। ଏହି ଅବସରରେ ଅଂଶୁମାନଙ୍କୁ ଦଳରେ ସ୍ୱାଗତ କରିବା ସହ ତାଙ୍କ ଯୋଗଦାନ କେନ୍ଦ୍ରାପଡ଼ା ଜିଲ୍ଲାରେ ଦଳକୁ ପ୍ରୋତ୍ସାହିତ କରିବ ବୋଲି କହିଛନ୍ତି ପ୍ରଣବ ଦାସ।

ପୂର୍ବତନ ମନ୍ତ୍ରୀ ନଳିନୀ କାନ୍ତ ମହାନ୍ତିଙ୍କ ପୁଅ ଅଂଶୁମାନ ମହାନ୍ତି ୨୦୧୪ରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ନିକଟରେ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ଦେବା ସହ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।