ନୂଆ-ଓ ଛାତ୍ରବୃତ୍ତି ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର, ଅନୁଗୁଳ ଓ ଦେବଗଡ଼ରେ ନୂଆ-ଓ ଛାତ୍ରବୃତ୍ତି କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଯୋଗଦେଇଛନ୍ତି। ମାର୍ଚ୍ଚ ୫ ତାରିଖ ସୁଦ୍ଧା ସମସ୍ତ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସ୍କଲାରସିପ୍ ରାଶି ମିଳିବ।

ଛାତ୍ରଛାତ୍ରୀଙ୍କ ପାଇଁ ଆସିବ ‘ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ’

ଭୁବନେଶ୍ଵର, ୨୬/୦୨/୨୦୨୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ସମ୍ବଲପୁର, ଅନୁଗୁଳ ଓ ଦେବଗଡ଼ ଜିଲ୍ଲା ଗସ୍ତ କରିଛନ୍ତି। ସମ୍ବଲପୁର, ଅନୁଗୁଳ ଓ ଦେବଗଡ଼ ଜିଲ୍ଲାର ୫୭ଟି କଲେଜର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ନୂଆ-ଓ ସ୍କଲାରସିପ୍ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଛନ୍ତି। ଜେନେରାଲ ଓ ଓବିସି ଛାତ୍ର ଓ ଛାତ୍ରୀଙ୍କ ପାଇଁ ଛାତ୍ରବୃତ୍ତି ରାଶି ଯଥାକ୍ରମେ ୯,୦୦୦ ଟଙ୍କା ଓ ୧୦,୦୦୦ ଟଙ୍କା ଥିବା ବେଳେ ଏସସି/ଏସଟି ଛାତ୍ର ଓ ଛାତ୍ରୀମାନଙ୍କ ପାଇଁ ଏହା ଯଥାକ୍ରମେ ୧୦,୦୦୦ ଏବଂ ୧୧,୦୦୦ ଟଙ୍କା ରହିଛି ।

ଏହି ଅବସରରେ ସମ୍ବଲପୁର ଜିଲ୍ଲାର ୨୧ଟି କଲେଜରୁ ୧୩,୪୨୩ ଛାତ୍ରଛାତ୍ରୀ; ଅନୁଗୁଳ ଜିଲ୍ଲାର ୨୫ଟି କଲେଜର ୧୧,୨୬୫ ଛାତ୍ରଛାତ୍ରୀ ଓ ଦେବଗଡ଼ ଜିଲ୍ଲାର ୧୧ଟି କଲେଜର ୩,୪୨୪ ଛାତ୍ରଛାତ୍ରୀ ଆଜି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଛାତ୍ରବୃତ୍ତି ରାଶି ପାଇଛନ୍ତି। ଛାତ୍ରଛାତ୍ରୀଙ୍କୁ ନୂଆ-ଓ ସ୍କଲାରସିପ୍ ମଞ୍ଜୁରୀ ଆଦେଶ ବଣ୍ଟନ କରିଥିଲେ।

ପାଣ୍ଡିଆନ କହିଛନ୍ତି ଯେ ୨୦୨୪-୩୪ ଦଶନ୍ଧି ଯୁବପିଢ଼ିଙ୍କ ଯୁଗ ହେବ, ଯେଉଁମାନେ ନୂଆ ଓଡ଼ିଶାର ଲକ୍ଷ୍ୟ ହାସଲ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ସଶକ୍ତ ହେବେ। ସାରା ରାଜ୍ୟରେ କଲେଜ ରୂପାନ୍ତରଣ ପ୍ରକଳ୍ପ ମାଧ୍ୟମରେ ଏହି ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏହି ପରିପ୍ରେକ୍ଷୀରେ ଗତବର୍ଷ ନୂଆଓ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଏକ ବଡ଼ ସଫଳତା ହାସଲ କରିବା ସହ ପରବର୍ତ୍ତୀ ପଦକ୍ଷେପ ଭାବେ ନୂଆ-ଓ ସ୍କଲାରସିପ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ସରକାରଙ୍କ ପରବର୍ତ୍ତୀ ପ୍ରମୁଖ ପଦକ୍ଷେପ ହେଉଛି ଭବିଷ୍ୟତଭିତ୍ତିକ ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ ଉନ୍ମୋଚନ ମାଧ୍ୟମରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଭୁକ୍ତ କରିବା, ଯାହା ଯୁବପିଢ଼ିଙ୍କୁ ନିୟୋଜିତ କରିବ ଏବଂ ସଶକ୍ତ କରିବ ଏବଂ ସେମାନଙ୍କୁ ଶିକ୍ଷାଗତ ବିକାଶ, ବ୍ୟକ୍ତିତ୍ୱ ବିକାଶ, ଦକ୍ଷତା ବିକାଶ ଏବଂ ନିଯୁକ୍ତି ଦିଗରେ ସକ୍ଷମ କରିବ। ଏହା ଯୁବପିଢ଼ିଙ୍କ ପାଇଁ ସେମାନଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ଏକ ପ୍ଲାଟଫର୍ମ ସୃଷ୍ଟି କରିବ ।

ଏହି କାର୍ଡ “ସମୃଦ୍ଧିର ପାସପୋର୍ଟ” ହେବ। ବିଭିନ୍ନ କାର୍ଯ୍ୟକଳାପ ଏବଂ ପାରାମିଟର ମାଧ୍ୟମରେ ଅର୍ଜିତ ପଏଣ୍ଟ ଆଧାରରେ କାର୍ଡଗୁଡ଼ିକୁ ସିଲଭର, ଗୋଲ୍ଡ ଏବଂ ପ୍ଲାଟିନମ୍ ସ୍ତରକୁ ଅପଗ୍ରେଡ୍ କରାଯିବ। ଉପସ୍ଥାନ, ଶୃଙ୍ଖଳା, ଶୈକ୍ଷିକ ପ୍ରଦର୍ଶନ, ପାଠ୍ୟକ୍ରମ, କ୍ରୀଡ଼ା, ଅନଲାଇନ୍ ପାଠ୍ୟକ୍ରମ, ବ୍ୟକ୍ତିତ୍ବ ବିକାଶ ପାଠ୍ୟକ୍ରମ ଇତ୍ୟାଦି କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନକୁ ଆଧାର କରି କାର୍ଡ ଆବଣ୍ଟନ ଓ ଉନ୍ନତୀକରଣ କରାଯିବ।

ଏହି କାର୍ଡଗୁଡ଼ିକ ବସ୍ / ଟ୍ରେନ୍ / ବିମାନ ରିହାତି ଭଳି ବିଭିନ୍ନ ସୁବିଧା ଉପଲବ୍ଧ କରାଇପାରିବେ; ଫୋନ୍ / ଡାଟା ରିଚାର୍ଜ ଏବଂ ୱାଇ-ଫାଇ ଆକସେସ୍ ; ଇ-ଲାଇବ୍ରେରୀ; ଅନ୍ ଲାଇନ୍ ଏକାଡେମିକ୍ ପାଠ୍ୟକ୍ରମ ; ବ୍ୟକ୍ତିତ୍ୱ ବିକାଶ ପାଠ୍ୟକ୍ରମ ଓ କର୍ମଶାଳା ; କୋଚିଂ ସେଣ୍ଟର ଏବଂ ଟ୍ୟୁସନ କ୍ଲାସ; ଦକ୍ଷତା ବିକାଶ ପାଠ୍ୟକ୍ରମ ; କ୍ୟାରିୟର କାଉନସେଲିଂ; ଓଡ଼ିଆ ଓ ଇଂରାଜୀ ସମେତ ଭାଷା ପାଠ୍ୟକ୍ରମ; ସ୍ୱେଚ୍ଛାସେବୀ ସୁଯୋଗ; ଜାତୀୟ ଓ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ସମୟରେ ଷ୍ଟାଡିୟମର ପ୍ରବେଶ; ଜର୍ଣ୍ଣାଲ ଏବଂ ସେମିନାରଗୁଡିକରେ ଆକସେସ୍ ଇତ୍ୟାଦି କରାଇବ।

ଏହି କାର୍ଡ ପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ ପୋର୍ଟାଲ ମାର୍ଚ୍ଚ ୫, ୨୦୨୪ରେ ଆରମ୍ଭ ହେବା ସହ କାର୍ଡ ବଣ୍ଟନ ଅଗଷ୍ଟ ୧୫ରେ ହେବ।

ଏହି କାର୍ଯ୍ୟକ୍ରମରେ ସେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଅନୁମୋଦନ ଆଦେଶ ପାଇବା କ୍ଷଣି ହିଁ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ଛାତ୍ରବୃତ୍ତି ପ୍ରଦାନ ପାଇଁ ଏସ୍ଏମ୍ଏସ୍ ଆସିଥିଲା।