ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କୁ ଗାର୍ଡ ଅଫ୍ ଅନର

ହାଇଦ୍ରାବାଦ ହାଉସରେ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ, ୦୭/୧୦: ୫ ଦିନିଆ ଭାରତ ଗସ୍ତରେ ଆସିଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ। ଗତ କାଲି ସ୍ୱତନ୍ତ୍ର ବିମାନ ଯୋଗେ ରାଜଧାନୀ ଦିଲ୍ଲୀରେ ଆସି ପହଞ୍ଚିଛନ୍ତି। ଆସନ୍ତା ୧୦ ତାରିଖ ଯାଏ ଭାରତରେ ବିଶିଷ୍ଟ ନେତୃତ୍ୱଙ୍କ ସହ ଆଲୋଚନା କରିବେ।

ସୋମବାର ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ମୁଇଜୁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ରାଷ୍ଟ୍ରପତି ଭବନରେ ମୁଇଜ୍ଜୁଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ମହମ୍ମଦ ମୁଇଜୁମଙ୍କୁ ରାଷ୍ଟ୍ରପତି ଭବନରେ ସ୍ୱାଗତ କରିଥିଲେ। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ମୁଇଜ୍ଜୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିବା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ସାକ୍ଷାତ କରିବା ପରେ ଭାରତ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଭିତ୍ତିଭୂମି କ୍ଷେତ୍ରରେ ବୁଝାମଣା ଘୋଷଣା କରିବ ବୋଲି ଆଶା କରାଯାଉଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଇଦ୍ରାବାଦ ହାଉସରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କୁ ସ୍ୱାଗତ କରିଥିଲେ। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଉଭୟ ପକ୍ଷର ଉଚ୍ଚସ୍ତରୀୟ ଅଧିକାରୀ ଯୋଗ ଦେଇଛନ୍ତି। ଏହି ଆଲୋଚନାରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା, ଆଞ୍ଚଳିକ ସହଯୋଗ ବୃଦ୍ଧି ଏବଂ ପାରସ୍ପରିକ ବିକାଶ ପାଇଁ ନୂତନ ମାର୍ଗ ଖୋଜିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଆଶା କରାଯାଉଛି।