ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଲ୍ ଗେଟ୍ସ

ଆଜି ବିଲ୍ ଗେଟ୍ସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ସହ କୃଷି ଭବନ ଓ ମିଲେଟ କାଫେ ପରିଦର୍ଶନ କରିଛନ୍ତି।

କୃଷି ଭବନ ଓ ମିଲେଟ କାଫେ ପରିଦର୍ଶନ କଲେ

ଭୁବନେଶ୍ବର, ୨୮/୦୨/୨୦୨୪: ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ତଥା ବିଲ୍ ଆଣ୍ଡ୍ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ବିଲ୍ ଗେଟ୍ସ ବୁଧବାର ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ମୁଖ୍ୟାଳୟ କୃଷି ଭବନ ପରିଦର୍ଶନ କରିଛନ୍ତି।

ବିଲ୍ ଗେଟ୍ସ ପ୍ରଥମେ କୃଷି ସମୀକ୍ଷା କେନ୍ଦ୍ରକୁ ଯାଇଥିଲେ। ସେଠାରେ ଓଡ଼ିଶାର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଉପରେ ଏକ ଉପସ୍ଥାପନା ପ୍ରଦର୍ଶିତ ହୋଇଥିଲା। କୃଷକମାନଙ୍କ ପାଇଁ ଅନ୍ତର୍ଭୁକ୍ତ ଏବଂ ପ୍ରଭାବଶାଳୀ ଯୋଜନା ଓ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର କିପରି ବୈଷୟିକ ଜ୍ଞାନକୌଶଳର ଉପଯୋଗ କରିବାରେ ସକ୍ଷମ ହୋଇଛନ୍ତି ତାହା ଉପରେ ଏହି ପ୍ରଦର୍ଶନ କରାଯାଇଥିଲା।

ଏଥି ସହିତ ବିଲ୍ ଗେଟ୍ସ ଓ ତାଙ୍କ ପ୍ରତିନିଧି ଦଳ ମିଲେଟ୍ କାଫେ ପରିଦର୍ଶନ କରିଥିଲେ, ଯେଉଁଠାରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଓଡ଼ିଶା ମିଲେଟ୍ ମିଶନର ସଫଳତାର କାହାଣୀ, ବିଶେଷକରି ଆଦିବାସୀ ସମ୍ପ୍ରଦାୟ ପାଇଁ ଏହାର ସକାରାତ୍ମକ ଫଳାଫଳ ବିଷୟରେ ସୂଚନା ଦେଇଥିଲେ।

ଏହା ପରେ ବିଲ୍ ଗେଟ୍ସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ନବୀନ ନିବାସରେ ତାଙ୍କୁ ଭେଟିଛନ୍ତି। ଓଡ଼ିଶାର ପ୍ରଯୁକ୍ତି ଭିତ୍ତିକ କୃଷକ ସଶକ୍ତୀକରଣ କାର୍ଯ୍ୟକ୍ରମ, ଜାଗା ମିଶନ, ମିଶନ ଶକ୍ତି, ସ୍କୁଲ ଟ୍ରାନସଫର୍ମେସନ, ବିଏସକେୱାଇ ଏବଂ ସ୍ୱାସ୍ଥ୍ୟସେବା ପରିବର୍ତ୍ତନ ଭଳି ଅନେକ କଲ୍ୟାଣକାରୀ ପଦକ୍ଷେପ ଉପରେ ସେ ଗେଟ୍ସଙ୍କ ସହ ଆଲୋଚନା କରିଛନ୍ତି।