ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ ଭେଟିଲେ ବିଜେପି ପ୍ରତିନିଧି ଦଳ

ଅନୁଗୁଳ ଆତ୍ମହତ୍ୟା କରିଥିବା ଚାଷୀ ତ୍ରିନାଥ ପ୍ରଧାନଙ୍କ ପରିବାରକୁ ଭେଟିବା ସହ ଆର୍ଥିକ ସହାୟତା ଯୋଗାଇ ଦେବା ସହ ସରକାରଙ୍କ ନିକଟରୁ ଅନୁକମ୍ପାମୂଳକ ସହାୟତା ଯୋଗାଇଦେବା ଏବଂ ଘଟଣାର ତଦନ୍ତ ପାଇଁ ଦାବି କରିଛନ୍ତି।

ଆର୍ଥିକ ସହାୟତା ସହ ଘଟଣାର ତଦନ୍ତ ପାଇଁ ଦାବି

ଅନୁଗୁଳ, ୦୩/୦୩/୨୦୨୪: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ସାପୋଇସାହି ଗ୍ରାମରେ ଆତ୍ମହତ୍ୟା କରିଥିବା ଯୁବ ଚାଷୀ ତ୍ରିନାଥ ପ୍ରଧାନଙ୍କ ପରିବାରକୁ ଆଜି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁଙ୍କ ନେତୃତ୍ଵରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭେଟି ଆତ୍ମହତ୍ୟାର କାରଣ ବିଷୟରେ ଅନୁସନ୍ଧାନ କରିବା ସହିତ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ସାପୋଇସାହିର ଯୁବ ଚାଷୀ ତ୍ରିନାଥ ପ୍ରଧାନ (୪୧) ଓଡିଶା ଗ୍ରାମ୍ୟ ବ୍ଯାଙ୍କରୁ ଲକ୍ଷାଧିକ ଟଙ୍କା ଋଣ କରିବା ସହିତ ନିଜ ଗ୍ରାମର ସ୍ଵୟଂ ସହାୟକ ଗୋଷ୍ଠୀଠାରୁ ଦେଢ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା କରଜ କରି ନିଜର ଅଢେଇ ଏକର ଜମିରେ ପନିପରିବା ଚାଷ କରିଥିଲେ। କିନ୍ତୁ ଫସଲ ନଷ୍ଟ ହେଇଯିବା କାରଣରୁ ଯୁବ ଚାଷୀ ତ୍ରିନାଥ ନିଜର ପରିବାର ପ୍ରତିପୋଷଣ ଏବଂ କରଜ ସୁଝିବା ଚିନ୍ତାରେ ନିଜର ମାନସିକ ଭାରସାମ୍ୟ ହରାଇ ଗତକାଲି ମାର୍ଚ୍ଚ ୨ ତାରିଖ ଦିନ ନିଜ ବେକରେ ରଶି ଲଗାଇ ଆତ୍ମହତ୍ଯା କରିଛନ୍ତି ବୋଲି ଗ୍ରାମର ଲୋକ ଓ ପରିବାର ଲୋକମାନେ ବିଜେପି ପ୍ରତିନିଧି ଦଳ ନିକଟରେ ଅଭିଯୋଗ କରିଥିଲେ। ଚାଷୀ ଆତ୍ମହତ୍ୟା କରିବାର ଦୁଇ ଦିନ ବିତି ଯାଇଥିଲେ ମଧ୍ୟ ଅନୁଗୁଳ ଜିଲ୍ଲାର ରାଜସ୍ବ ବିଭାଗ ଓ କୃଷି ବିଭାଗର କୈଣସି ଅଫିସର ଘଟଣା ସ୍ଥଳକୁ ଯାଇ ତଦନ୍ତ କରିନାହାନ୍ତି। ଏହାକୁ ବିଜେପି ପ୍ରତିନିଧି ଦଳ ଦୃଢ ନିନ୍ଦା କରିଛନ୍ତି।

ଆତ୍ମହତ୍ୟା କରିଥିବା ଯୁବ ଚାଷୀ ପରିବାରକୁ ରାଜ୍ୟ ସରକାର ତୁରନ୍ତ ୨୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବା ସହିତ ଅନୁଗୁଳ ଜିଲ୍ଲାପାଳ ରେଡକ୍ରସ ପାଣ୍ଠିରୁ ଶୁଦ୍ଧିକ୍ରିୟା ପାଇଁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଦାବି କରିଛନ୍ତି। ନହେଲେ ଆଗାମୀ ଦିନରେ ବ୍ୟାପକ ଚାଷୀ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ସାହୁ ଚରମ ବାଣୀ ଶୁଣାଇଛନ୍ତି।ଏହି ବିଜେପି ପ୍ରତିନିଧି ଦଳରେ ପୂର୍ବତନ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ବିଜୟ କୁମାର ମାଝୀ, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀ ପ୍ରଶାନ୍ତ କୁମାର ପୃଷ୍ଟି, ଅକ୍ଷୟପାଦ ବେହେରା, ବିଜେପି ଜିଲ୍ଳା ପରିଷଦ ସଦସ୍ୟ ଶ୍ରୀ ଯଶୋବନ୍ତ ପ୍ରଧାନ, ପ୍ରଭାତ କୁମାର ବେହେରା, ସୁଶାନ୍ତ କୁମାର ସାହୁ, ନୀଳକଣ୍ଠ ସାହୁ, ଜୀବନାନନ୍ଦ ସାହୁ, ବିନୋଦ କୁମାର ପ୍ରଧାନ ଓ ଶ୍ରୀମତୀ ରୋଜାଲିନ ଦାସ ପ୍ରମୁଖ ସାମିଲ ହୋଇଥିଲେ।