ଆଜିର ମିଶ୍ରଣ ପର୍ବ ମୋଦୀଙ୍କ ଦୃଢ଼ ନେତୃତ୍ୱ ଏବଂ କଲ୍ୟାଣକାରୀ ପଦକ୍ଷେପର ଏକ ଝଲକ: ଧର୍ମେନ୍ଦ୍ର ପ୍ରଧାନ

• ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି ସୁରେଶ ପାଣିଗ୍ରାହୀ ସରୋଜ ପଟ୍ଟନାୟକ, କଙ୍କଡାହାଡ଼ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ସାହୁଙ୍କ ସମେତ ଶତାଧିକ ନେତା ଓ କର୍ମୀ • କର୍ମକର୍ତ୍ତାଙ୍କ ରାଜନୈତିକ ଅନୁଭବ ଏବଂ ଉପସ୍ଥିତି ଢେଙ୍କାନାଳ ଜିଲ୍ଲା ସମେତ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବ • ‘ମୋଦୀ ଗ୍ୟାରେଣ୍ଟି’ ଉପରେ ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଇଲେ

ଢେଙ୍କାନାଳରେ ବିଜେପିର ମହାମିଶ୍ରଣ ପର୍ବ

ଢେଙ୍କାନାଳ, ୦୪/୦୩/୨୦୨୪: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଢେଙ୍କାନାଳ ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ମହାମିଶ୍ରଣ ପର୍ବରେ ଯୋଗଦେଇ ଜିଲ୍ଲାର ଅନେକ ତୁଙ୍ଗ ନେତୃତ୍ୱଙ୍କୁ ଦଳରେ ସ୍ୱାଗତ କରିବା ସହ ଆଜିର ମିଶ୍ରଣ ପର୍ବ ମୋଦୀଙ୍କ ଦୃଢ଼ ନେତୃତ୍ୱ ଓ କଲ୍ୟାଣକାରୀ ପଦକ୍ଷେପର ଏକ ଝଲକ ବୋଲି କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ‘ମୋଦୀ ଗ୍ୟାରେଣ୍ଟି’ ଉପରେ ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ସମସ୍ତ ନେତା ଓ କର୍ମୀଙ୍କୁ ଧନ୍ୟବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱ ଓ କଲ୍ୟାଣକାରୀ ପଦକ୍ଷେପ ଉପରେ ସମସ୍ତଙ୍କ ଭରସା ବଢିଛି। ଆଜିର ମିଶ୍ରଣ ପର୍ବ ଏହାର ଏକ ଝଲକ। ମୋଦୀଙ୍କ ନେତୃତ୍ୱରେ ତୃଣମୂଳ ସ୍ତରରେ ବହୁତ ପରିବର୍ତ୍ତନ ହୋଇଛି। ଓଡ଼ିଶାକୁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବାବଦକୁ ମୋଦୀ ୧୮ ଲକ୍ଷ କୋଟି ଟଙ୍କା ଦେଇଛନ୍ତି। ଆବାସ ଯୋଜନାରେ ୩୪ ଲକ୍ଷ ଘର ଦେଇଛନ୍ତି। ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମାସକୁ ମାଗଣାରେ ପାଞ୍ଚ କେଜି ଚାଉଳ ଦେଉଛନ୍ତି। ପ୍ରାୟ ୫୪ ଲକ୍ଷ ଲାଭାର୍ଥୀଙ୍କ ଘରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ଯୋଗାଇ ଦିଆଯାଇଛି।

୨୦୪୭ ସୁଦ୍ଧା ବିକଶିତ କରିବା ପାଇଁ ନରେନ୍ଦ୍ର ମୋଦୀ ବଜ୍ର ଶପଥ ନେଇଛନ୍ତି। ମୋଦୀ ଗ୍ୟାରେଣ୍ଟିରେ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ର ଲକ୍ଷ୍ୟ ନିଶ୍ଚୟ ପୂରଣ ହେବ। ଆମର ପ୍ରାର୍ଥୀ ହେଉଛନ୍ତି ମୋଦୀ ଏବଂ ଚିହ୍ନ ହେଉଛି ପଦ୍ମ ଫୁଲ। ଆଜି ଦଳରେ ଯୋଗଦେଇଥିବା କର୍ମକର୍ତ୍ତାଙ୍କ ରାଜନୈତିକ ଅନୁଭବ ଏବଂ ଉପସ୍ଥିତି ଢେଙ୍କାନାଳ ଜିଲ୍ଲା ସମେତ ଆମ ଦଳର ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବା ସହ ମୋଦୀଙ୍କ ହାତମୁଠାକୁ ଟାଣ କରିବ। ଜିଲ୍ଲାରେ ଅତ୍ୟାଚାର, ବେପାରୀଙ୍କୁ ହଟାଇବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି ସୁରେଶ ପାଣିଗ୍ରାହୀ, ସରୋଜ ପଟ୍ଟନାୟକ, କଙ୍କଡାହାଡ଼ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ସାହୁଙ୍କ ସମେତ ପରଜଙ୍ଗ ଓ ସ୍ଥାନୀୟ ନିର୍ବାଚନମଣ୍ଡଳୀର କଂଗ୍ରେସ ଓ ବିଜେଡ଼ି ଦଳର ଶତାଧିକ କର୍ମୀ, ବ୍ୟକ୍ତିବିଶେଷ ଓ ସମାଜସେବୀ ଦଳରେ ଯୋଗ ଦେଇଥିଲେ।