ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନବୀନ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ମେ ପହିଲାରୁ ମିଳିବ ବିଏସକେୱାଇ ନବୀନ କାର୍ଡରେ ଚିକିତ୍ସା ସୁବିଧା। ମା’ମାନଙ୍କ ପାଇଁ ୧୦ ଲକ୍ଷ ଓ ପରିବାରର ଅନ୍ୟ ସଦସ୍ୟଙ୍କ ପାଇଁ ୫ ଲକ୍ଷ ଟଙ୍କା ମିଳିବ। ୮୧୬ଟି ପଞ୍ଜିକୃତ ବେସରକାରୀ ହସ୍ପିଟାଲରେ ମାସକୁ ୧.୩ ଲକ୍ଷ ହିତାଧିକାରୀ ପାଉଛନ୍ତି ଚିକିତ୍ସା ସୁବିଧା, ରାଜ୍ୟ ସରକାର ନିଜ ପାଣ୍ଠିରୁ ମାସକୁ ଖର୍ଚ୍ଚ କରୁଛନ୍ତି ୨୭୦ କୋଟି ଟଙ୍କା।
ଓଡିଶାବାସୀଙ୍କ ଖୁସିରେ ମୋ ଖୁସି: ନବୀନ
ଭୁବନେଶ୍ବର, ୦୬/୦୨/୨୦୨୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ବିଏସକେୱାଇ ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି। ନିୟମିତ ସରକାରୀ କର୍ମଚାରୀ ଓ ଆୟକର ଦେଉଥିବା ଲୋକଙ୍କୁ ଛାଡି ଗାଁର ସବୁ ଲୋକ ଏହି ସୁବିଧା ପାଇବେ। ଆଜିଠାରୁ ଏହି କାର୍ଡ ବଣ୍ଟନ ଆରମ୍ଭ ହୋଇଥିବାବେଳେ ମେ ପହିଲାଠାରୁ ହିତାଧିକାରୀମାନେ ଏହାର ସୁବିଧା ପାଇବେ। ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାଢେ ୪ କୋଟି ଓଡିଶାବାସୀ ହେଉଛନ୍ତି ମୋ ପରିବାର। ଆପଣମାନଙ୍କ ସୁଖ ଦୁଃଖରେ ମୁଁ ସବୁବେଳେ ରହିଛି ଓ ରହିଥିବି। ଆପଣମାନଙ୍କ ଖୁସି ମୋ ଖୁସି।
ସୁସ୍ଥ ସମାଜ ଏକ ସମୃଦ୍ଧ ରାଷ୍ଟ୍ରର ଆଧାର ଏବଂ ସ୍ୱାସ୍ଥ୍ୟ ସହିତ ଏହାର ଗଭୀର ସଂପର୍କ ରହିଛି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୋ ପରିବାରର ଲୋକମାନେ କିପରି ଭଲରେ ରହିବେ ସେଥିପାଇଁ ମୁଁ ସବୁବେଳେ କାମ କରି ଚାଲିଛି ଓ କରି ଚାଲିବି।
ସୂଚନାଯୋଗ୍ୟ ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ୧ କୋଟିରୁ ଅଧିକ ପରିବାର ଯାହାକି ରାଜ୍ୟ ଜନସଂଖ୍ୟାର ୮୦ ଭାଗ ହେବେ, ନଗଦ ବିହୀନ ଚିକିତ୍ସା ସୁବିଧା ପାଉଛନ୍ତି। ମହିଳାମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଥିବାବେଳେ ପରିବାରର ଅନ୍ୟ ସଦସ୍ୟ ମାନଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା କରାଯାଇଛି। ଏହି ଯୋଜନାରେ ମାସକୁ ୧ ଲକ୍ଷ ୩୦ ହଜାର ହିତାଧିକାରୀ ୮୧୬ଟି ପଞ୍ଜିକୃତ ବେସରକାରୀ ହସ୍ପିଟାଲରେ ଚିକିତ୍ସା ସୁବିଧା ପାଉଛନ୍ତି। ଏଥିପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ୨୭୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି।
କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ବ୍ଲକରେରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୁଜାରୀ ଯୋଗ ଦେଇ କହିଲେ ଯେ ୫-ଟି ଳରେ କାର୍ଯ୍ୟକାରୀ ହେଉଥିବା ବିଏସକେୱାଇ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି। ଆଜି ଗ୍ରାମାଞ୍ଚଳର ସବୁ ବଞ୍ଚିତ ହିତାଧିକାରୀ ଏଥିରେ ସାମିଲ ହେଲେ। ୫-ଟି ହେଉଛି ମୁଖ୍ୟମନ୍ତ୍ରୀଙ୍କ ଓଡିଶାର ଉନ୍ନତି କଳ୍ପନା। ଲୋକଙ୍କୁ ସେବା ଦେବାର କଳ୍ପନା। ଆଜି ୫-ଟି ମନ୍ତ୍ର ଉପରେ ରାଜ୍ୟବାସୀଙ୍କ ଆସ୍ଥା ବଢିଛି। ରାଜ୍ୟବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ସବୁଠାରୁ ଅଧିକ ଗୁରୁତ୍ୱ ଦିଅନ୍ତି ବୋଲି ସେ କହିଥିଲେ।
୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଲେ ଯେ ରାଜ୍ୟର ପ୍ରତ୍ୟେକ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇଦେବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ, ଏହି ପରିପ୍ରେକ୍ଷୀରେ ପରବର୍ତ୍ତୀ ପର୍ଯ୍ୟାୟରେ ସହରାଞ୍ଚଳର ପ୍ରାୟ ସମସ୍ତଙ୍କୁ ବିଏସକେୱାଇ ନବୀନ କାର୍ଡରେ ସାମିଲ କରାଯିବ ବୋଲି ସେ କହିଥିଲେ। ଏହି ଯୋଜନାକୁ ରେକର୍ଡ ସମୟ ମଧ୍ୟରେ କାର୍ଯ୍ୟକାରୀ କରିଥିବାରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ସୂଚନା ପ୍ରଯୁକ୍ତି ବିଭାଗକୁ ସେ ଧନ୍ୟବାଦ ଜଣାଇଥିଲେ।
ସୂଚନାଯୋଗ୍ୟ ଯେ ୫-ଟି ଅଧ୍ୟକ୍ଷଙ୍କ ଜିଲ୍ଲାଗସ୍ତ ସମୟରେ ଗ୍ରାମାଞ୍ଚଳର ବିଏସକେୱାଇ କାର୍ଡ ପାଇବାରୁ ବହୁ ବଞ୍ଚିତ ଲୋକ ସେମାନଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ଅନୁରୋଧ କରିଥିଲେ। ପ୍ରତିଟି ଜୀବନ ମୂଲ୍ୟବାନ ଆଦର୍ଶରେ ଅନୁପ୍ରାଣିତ ମୁଖ୍ୟମନ୍ତ୍ରୀ ଏ ବିଷୟରେ ଅବଗତ ହେବା ପରେ ଏହି ନବୀନ କାର୍ଡ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।