କଂଗ୍ରେସକୁ ଆକ୍ଷେପ କଲେ ମୋଦି; ମୋଦିଙ୍କୁ ପ୍ରଶଂସା କଲେ ନବୀନ

ଆଜି ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି।

ମୋଦିଙ୍କ ଓଡ଼ିଆରେ ଉତ୍ସାହିତ ଜନତା

ଭୁବନେଶ୍ବର, ୦୫/୦୩/୨୦୨୪: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଛନ୍ତି। ଯାଜପୁରର ଚଣ୍ଡିଖୋଲ ଠାରେ ପ୍ରଧାନମନ୍ତ୍ରୀ ୨୦,୦୦୦ କୋଟି ମୂଲ୍ୟର ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଶାଳ ଜନସଭାରେ ଉଦବୋଧନ ଦେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମବାର୍ଷିକୀ ଅବସରରେ ସ୍ମରଣ କରିଥିଲେ।

ମୋଦି ପ୍ରଥମେ ଓଡିଆରୁ ଆରମ୍ଭ କରିଥିଲେ ଅଭିଭାଷଣ। “ଜୟ ଜଗନ୍ନାଥ! ଜୟ ବିରଜା! ଜୟ ଶ୍ରୀ ରାମ! ଏଠି ଉପସ୍ଥିତ ସମସ୍ତ ଭାଇ ଭଉଣୀମାନଙ୍କୁ ମୋର ନମସ୍କାର”ରୁ ଉଦବୋଧନ ଆରମ୍ଭ କରି ମୋଦି କହିଥିଲେ ଯେ, ଆଜି ଦିଗବିଜୟୀ ନେତା ବିଜୁ ପଟ୍ଟନାୟକଙ୍କ ଜନ୍ମ ବାର୍ଷିକୀ ଅଟେ। ପୂରା ଦେଶ ଆଜି ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରୁଛି। ଆଉ ଏକ ସଂଯୋଗ ଯେ, ଆଜି ମୋତେ ଓଡିଶାରୁ ହିଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ସୁଯୋଗ ମିଳିଛି। ଆଜି ଏହି ସଭାରେ ଏତେ ସଂଖ୍ୟାରେ ଉପସ୍ଥିତ ଥିବା ଜନତାଙ୍କ ଉତ୍ସାହ ଦେଖି ଜଣାପଡୁଛି ଯେ, ଅବ କି ବାର, ୪୦୦ ପାର। ଏହି ୪୦୦ ପାର୍ ସଂକଳ୍ପ ଭାରତକୁ ଦୁନିଆର ତୃତୀୟ ଅର୍ଥନୈତିକ ଦେଶ ବନେଇବ। ଏହି ସଂକଳ୍ପ କୃଷକ, ନାରୀ, ଯୁବପିଢି ଓ ଗରିବଙ୍କ ଜୀବନ ବଦଳେଇବ। କେନ୍ଦ୍ରରୁ ଭାଜପା ସରକାର ଓଡ଼ିଶାରେ ଅଦ୍ଭୂତପୂର୍ବ ନିବେଶ କରୁଛି। ଓଡ଼ିଶା ପୁଞ୍ଜିନିବେଶର ଏକ ବଡ କେନ୍ଦ୍ର ହେବାକୁ ଯାଉଛି। ବିକାଶ କାର୍ଯ୍ୟ ଓଡିଶାର ଯୁବବର୍ଗଙ୍କ ଭାଗ୍ୟ ବଦଳାଇବ। ପୂର୍ବ ଯୋଜନାରେ ପ୍ରକଳ୍ପ ଠିକ୍‌ ସମୟରେ ସରୁନଥିଲା। ଆମ ସରକାର ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟରେ ସାରିବାକୁ ଗୁରୁତ୍ୱ ଦିଏ। ପୂର୍ବରୁ କଂଗ୍ରେସ କୋଇଲା, ଖଣି, ୟୁରିଆ ଓ ନିଯୁକ୍ତିରେ ଘୋଟାଲା କରୁଥିଲା କଂଗ୍ରେସ। କଂଗ୍ରେସ ସରକାର ୟୁରିଆ ଦୁର୍ନୀତି କରିଛି, ସେ ଶସ୍ତାରେ ଚାଷୀଙ୍କୁ କିପରି ୟୁରିଆ ଯୋଗାଇବ। କଂଗ୍ରେସ ସରକାର ଅମଳରେ ଗ୍ୟାରେଣ୍ଟି ମଗା ଯାଉଥିଲା। ଗରିବ, ଆଦିବାସୀ ଓ ଯୁବକଙ୍କୁ ହତାଶ କରିଛି କଂଗ୍ରେସ। କିନ୍ତୁ ଏବେ ଚାକିରି, ଋଣ, ବ୍ୟାଙ୍କରେ ଖାତା ଖୋଲିବା ପାଇଁ ଗ୍ୟାରେଣ୍ଟି ଏବଂ ସବୁଠୁ ଅଧିକ ଗରିବର ସବୁଠୁ ବଡ ଗ୍ୟାରେଣ୍ଟି ମୋଦି ହେବ। ୨୦୧୪ ପୂର୍ବରୁ କଂଗ୍ରେସ କେବଳ ନିଜ ସିନ୍ଧୁକ ଭରୁଥିଲା। ଇଣ୍ଡିଆ ମେଣ୍ଟର ବିଚାରଧାରା ପରିବାରବାଦ ମୁଖ୍ୟରେ ସୀମିତ। ମୋଦିଙ୍କ ବିଚାରଧାରା ଦେଶ ପ୍ରଥମ। ୨୦୧୪ ପରେ ମୋଦି ଗ୍ୟାରେଣ୍ଟି ହୋଇଛି। ଯାହାକୁ କେହି ପଚାରୁନଥିଲେ, ତାକୁ ମୋଦି ପଚାରୁଛନ୍ତି। ପୂର୍ବ ସରକାରମାନେ ଏହି ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବାକୁ ଆଗ୍ରହୀ ନଥିଲେ। କିନ୍ତୁ ଯେଉଁ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରାଯାଉଛି ତାହାକୁ ସମ୍ପୂର୍ଣ୍ଣ କରିବାକୁ ଆମ ସରକାର ଚେଷ୍ଟା କରୁଛନ୍ତି। ପାରାଦୀପ ବିଶୋଧନାଗାର କୁ ନେଇ ୨୦୦୨ରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। କିନ୍ତୁ ୨୦୧୩-୧୪ ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନଥିଲା। ଆମ ସରକାର ହିଁ ଏହି ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିଛନ୍ତି। ଏବେ ଦେଶରେ ପୁଣି ଥରେ ଏକ ମଜବୁତ ଓ ନିର୍ଣ୍ଣାୟକ ସରକାର ଗଠନ ହେବ।”

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଅଭିଭାଷଣ ରଖିଥିଲେ। ମୁଖ୍ୟମନ୍ତ୍ରୀ ଜୟ ଜଗନ୍ନାଥରୁ ଆରମ୍ଭ କରି ମହାନ ଜନନାୟକ ବିଜୁପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି, “ବିଜୁ ବାବୁ ଜଣେ ଦୂରଦୃଷ୍ଟି ନେତା ଥିଲେ। ଦେଶ, ଏପରିକି ବିଦେଶର ସ୍ବାଧିନତା ସଂଗ୍ରାମରେ ମଧ୍ୟ ନିଜର ଗୁରୁତ୍ବପୁର୍ଣ ଅବଦାନ ରଖିଛନ୍ତି। ଓଡ଼ିଶାର ଉନ୍ନତି ତଥା ଓଡ଼ିଆ ଜାତିର ଉନ୍ନତି ପାଇଁ ସେ ସାରା ଜୀବନ କାମ କରି ଯାଇଛନ୍ତି। ୧୯୯୦ରେ ସେ କଳିଙ୍ଗ ନଗରକୁ ଇଣ୍ଡଷ୍ଟ୍ରିଆଲ ହବ୍ କରିବା ପାଇଁ ବିଜୁ ବାବୁ ଚିନ୍ତା କରିଥିଲେ। ଆଜି କଳିଙ୍ଗ ନଗର ଦେଶର ଷ୍ଟିଲ ହବ୍ ହୋଇ ପାରିଛି। କେବଳ ଓଡ଼ିଶା ନୁହେଁ, ସାରା ଦେଶ ଏଥିରୁ ଲାଭ ପାଉଛି। ଖୁସିର କଥା, ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଆଜି ଆମ ସହିତ ଅଛନ୍ତି। ମୁଁ ତାଙ୍କୁ ଓଡ଼ିଶାକୁ ସ୍ଵାଗତ କରୁଛି। ମାନ୍ୟବର ପ୍ରଧାନମନ୍ତ୍ରୀ ଭାରତ ପାଇଁ ଏକ ନୂଆ ଦିଗ ସ୍ଥିର କରିଛନ୍ତି। ସେ ଭାରତକୁ ଏକ ଅର୍ଥନୈତିକ ଶକ୍ତିଶାଳୀ କରିବା ପାଇଁ ଏକ ତ୍ୱରାନ୍ୱିତ ଅଭିଯାନରେ ନେଉଛନ୍ତି। ଭାରତ ଏବେ ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। କିଛି ବର୍ଷ ମଧ୍ୟରେ ୩ ନମ୍ବର ହେବାକୁ ଯାଉଛି। ଓଡ଼ିଶାକୁ ଅନେକ ପ୍ରକଳ୍ପ ଉପହାର ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରୁଛି। ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଛି। ମାନ୍ୟବର ପ୍ରଧାନମନ୍ତ୍ରୀ ଆଜି ଓଡିଶା ପାଇଁ ଅନେକ ପ୍ରକଳ୍ପ ଆରମ୍ଭ କଲେ। ଚଣ୍ଡିଖୋଲ-ପାରାଦ୍ୱୀପ ଏନ୍ଏଚ୍ ସହିତ ଅନେକ ଏନଏଚ ରାସ୍ତା ସମ୍ପ୍ରସାରଣ, ଡିସେଲିନେସନ ପ୍ଲାଣ୍ଟ, ଏଲପିଜି ଟର୍ମିନାଲ, ଗ୍ୟାସ ପାଇପଲାଇନ, ନୂଆ ଟ୍ରେନ ପରି ବିଭିନ୍ନ ପ୍ରକଳ୍ପ ସହ ଓଡ଼ିଶାର ବିକାଶ ଦିଗରେ ଗୁରୁତ୍ବ ଦେଇଥିବାରୁ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। ଆଜି ଓଡିଶା ପୂର୍ବ ଭାରତର ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ର ହେବାକୁ ଯାଉଛି। ଭିତ୍ତିଭୂମି ବିକାଶରେ ଉଭୟ ସାମାଜିକ ଓ ଭୌତିକ ଭିତ୍ତିଭୂମି କ୍ଷେତ୍ରରେ ଓଡିଶାରେ ଆଜି ରୂପାନ୍ତର ଆସିଛି। ମିଶନ ଶକ୍ତି ମା’ମାନେ ଆଜି ଉଦ୍ୟୋଗୀ ହେବାକୁ ଆଗେଇ ଆସୁଛନ୍ତି। ପୁଞ୍ଜିନିବେଶ କ୍ଷେତ୍ରରେ ଓଡିଶା ଆଜି ଦେଶର ଶୀର୍ଷ ଦ୍ବିତୀୟ ରାଜ୍ୟ ହୋଇ ପାରିଛି। ମହାପ୍ରଭୁଙ୍କ ଆଶୀର୍ବାଦ ଓ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଶୁଭେଚ୍ଛା ଓ ସହଯୋଗରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ସମଲେଇ ପ୍ରକଳ୍ପ ଲୋକାର୍ପିତ ହୋଇଛି। ମା’ ବିରଜାଙ୍କ ମନ୍ଦିରର ରୂପାନ୍ତର କାମ ଚାଲିଛି। ବିକାଶ ଆଜି ଓଡିଶାର ନୂଆ ପରିଚୟ ହୋଇଛି। ଆଗକୁ ଆହୁରି ଅନେକ କାମ କରିବାକୁ ଅଛି। ଓଡିଶାର ବିକାଶ ପାଇଁ ସାଢେ ଚାରି କୋଟି ଓଡିଶାବାସୀଙ୍କ ଉଦ୍ୟମରେ ମୁଁ ପ୍ରଧାନମନ୍ତ୍ରୀଙ୍କ ସହଯୋଗ କାମନା କରୁଛି।”