‘ଦର୍ଶନ’ ପକ୍ଷରୁ ବରଗଡରେ ପୂଜ୍ୟ ପୂଜା ସମ୍ମାନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ

‘ପ୍ରେରଣାଦାୟୀ ଖବରର ଉତ୍ସ ଦର୍ଶନ’। ବିକାଶରେ ବିଶ୍ୱାସ କରୁ, ଅତିରଞ୍ଜିତ ଖବରଠାରୁ ଦୂରେଇ ରହୁ ଏବଂ ଚତୁର୍ଥ ସ୍ତମ୍ଭ ଦାୟିତ୍ୱ ସହ ପୂଜ୍ୟ ପୂଜା ସମ୍ମାନକୁ ଗୁରୁତ୍ୱ ଦେଉ। ପ୍ରେରଣାଦାୟୀ ଖବର ପ୍ରକାଶନରେ ‘ଦର୍ଶନ’ ଅନ୍ୟମାନଙ୍କ ପାଇଁ ଉଦାହରଣ। ‘ଦର୍ଶନ’ର ଦର୍ଶନ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ଫଳପ୍ରସୂ ହେବ ବୋଲି ମତ ପ୍ରକାଶ ପାଇଛି।

ସମ୍ମିଳିତ ଉଦ୍ୟମ ସଫଳତାର ମାପକାଠି

ଭୁବନେଶ୍ୱର/ବରଗଡ,୬ା୩: ଆଜିର ସମୟରେ ଗଣମାଧ୍ୟମ ଦୁନିଆ ନିଜର ବିଭିନ୍ନ ପ୍ରକାର ଚାହିଦାକୁ ମେଣ୍ଟାଇବା ପାଇଁ ନିର୍ଦ୍ଦିଷ୍ଟ ଖବରକୁ ନିଜସ୍ୱ ଢଙ୍ଗରେ ଅତିରଞ୍ଜିତ କରି ପ୍ରକାଶ କରୁଛନ୍ତି କିମ୍ବା ପ୍ରସାରିତ କରୁଛନ୍ତି । ବହୁତ କମ ଗଣମାଧ୍ୟମ ଅଛନ୍ତି ଯେଉଁମାନେ କି, ପ୍ରେରଣାଦାୟୀ ଖବରକୁ ପ୍ରାଥମିକତାର ସହ ଛାପୁଛନ୍ତି କିମ୍ବା ପ୍ରସାରିତ କରୁଛନ୍ତି । ଏହି ପ୍ରେରଣାଦାୟୀ ଖବର ଯୋଗୁଁ ବାଟହୁଡା ଅନେକ ଦୁର୍ଲଭ ପ୍ରତିଭା ଗୁଡିକ ସମାଜର ମୁଖ୍ୟ ସ୍ରୋତକୁ ଫେରିଆସି ରାଜ୍ୟ ତଥା ରାଷ୍ଟ୍ର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ‘ଦର୍ଶନ’ ଦୈନିକ ଖବରକାଗଜ ଏହିପରି ପ୍ରେରଣାଦାୟୀ ଖବର ପ୍ରକାଶନରେ ପ୍ରମୁଖ ଉତ୍ସ ରୂପେ ନିଜର ଦାୟିତ୍ୱ ନିର୍ବାହ କରୁଛି । ପ୍ରେରଣାଦାୟୀ ଖବର ସୃଷ୍ଟିରେ ‘ଦର୍ଶନ’ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ଆଜି ବରଗଡ ସହରରେ ଏକ ଘରୋଇ ହୋଟେଲରେ ଆୟୋଜିତ ପୂଜ୍ୟ ପୂଜା ସମ୍ମାନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଉପରୋକ୍ତ ମତପ୍ରକାଶ ପାଇଛି ।

ଦୈନିକ ‘ଦର୍ଶନ’ ଖବରକାଗଜର ୨୧ତମ ସ୍ୱନକ୍ଷତ୍ର ଅବସରରେ ବରଗଡ ଠାରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଯୋଗଦେଇ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଧାୟକ ତଥା ଓଡ଼ିଶାର ଆଗଧାଡିର ଯୁବ ବିଧାୟକ ଦେବେଶ ଆଚାର୍ଯ୍ୟ କହିଥିଲେ ଯେ ପ୍ରେରଣାଦାୟୀ ଖବର ଯେତେ ଅଧିକ ପ୍ରକାଶିତ ହେବ ତାହା ସମାଜ ପାଇଁ ସେତେ ମଙ୍ଗଳଦାୟକ । ‘ଦର୍ଶନ’ ଖବରକାଗଜ ନିଜର ୨୧ବର୍ଷର ଜୟଯାତ୍ରାରେ ପ୍ରେରଣାଦାୟୀ ଖବର ପ୍ରକାଶନକୁ ଏକ ପ୍ରମୁଖ ଲକ୍ଷ୍ୟ ରୂପେ ଯେପରି ଗଢ଼ିରଖିଛି ତାହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ । ସେହିପରି ସତ୍ୟ ଓ ଧର୍ମକ୍ଷେତ୍ରରେ ରହି ଅନିତି, ଅସତ୍ୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପ୍ରତ୍ୟେକ ସାମ୍ବାଦିକ ମାନଙ୍କର ଧର୍ମ ଏବଂ ଏଥିରୁ କେବେବି ସାମ୍ବାଦିକଟିଏ ବିଚ୍ୟୁତ୍ ନହେବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ଆଚାର୍ଯ୍ୟ ତାଙ୍କ ଭାଷଣରେ କହିଥିଲେ । ସେହିପରି ପଶ୍ଚିମ ଓଡ଼ିଶାରେ ‘ଦର୍ଶନ’ ନିଜର ସ୍ୱତନ୍ତ୍ରତାକୁ ଆହୁରି ଅଧିକ ପ୍ରସାରିତ କରିପାରିବ ବୋଲି ସେ ଆଶାପ୍ରକଟ କରିଥିଲେ ।

ଅନ୍ୟପଟେ ‘ଦର୍ଶନ’ର ସମ୍ପାଦକ ଇଂ. ବିଭୁତି ଭୂଷଣ ନାୟକ ‘ଦର୍ଶନ’ର ପୂଜ୍ୟ ପୂଜା ସମ୍ମାନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରି କହିଥିଲେ ଯେ, ସଂଗ୍ରାମୀ ଓ ସ୍ୱାଭିମାନର ମାଟି ବରଗଡ । ଘେଁସ ଜମିଦାରଙ୍କ ଠାରୁ ଆରମ୍ଭ କରି ସୁରେନ୍ଦ୍ର ସାଏଙ୍କ ୧୨ ବଖରାର ଅଲିଭା ସ୍ମୃତି ସମଗ୍ର ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ । ସେହିପରି ସାହିତ୍ୟ, ସଂସ୍କୃତି ଓ ଲୋକକଳା କ୍ଷେତ୍ରରେ ବରଗଡର ସ୍ଥାନ ସମଗ୍ର ଦେଶରେ ଅନନ୍ୟ । ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କାଳଜୟୀ କୃତି ଠାରୁ ଆରମ୍ଭ କରି ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ସବୁବେଳେ ଏକ ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିଛି । ଅନ୍ୟପଟେ ଗଣମାଧ୍ୟମର ଚତୁର୍ଥ ସ୍ତମ୍ଭ ରୂପେ ‘ଦର୍ଶନ’ ନିଜର ଦାୟିତ୍ୱ ନିର୍ବାହ କରିବା ସହ ସମାଜକୁ ସାବଲୀଳ କରି ଗଢ଼ିତୋଳୁଥିବା ଝାଡୁଦାର ଠାରୁ ଆରମ୍ଭ କରି ଆଶାକର୍ମୀଙ୍କ ପରି ସେବିକା ଏହା ସାଙ୍ଗକୁ ବିଭିନ୍ନ କ୍ଷେତ୍ରରେ ନିଜର ଦାୟିତ୍ୱକୁ ସଠିକ୍ ରୂପେ ନିର୍ବାହ କରୁଥିବା ପ୍ରତିଭା ଗୁଡିକୁ ପ୍ରୋତ୍ସାହିତ କରିବା ଏବଂ ପୂଜ୍ୟ ପୂଜାକୁ ସମ୍ମାନ ଦେବାରେ ‘ଦର୍ଶନ’ ବିଶ୍ୱାସ କରେ । ‘ଦର୍ଶନ’ର ଏହି ବ୍ରତ ସାମୁହିକ ଉଦ୍ୟମରୁ ସମ୍ଭବ ହୋଇପାରିଛି ବୋଲି ଇଂ. ନାୟକ ତାଙ୍କ ଭାଷଣରେ କହିଥିଲେ । ସେହିପରି ଆଗାମୀ ଦିନରେ ‘ଦର୍ଶନ’ର କାୟାକଳ୍ପ ଓଡ଼ିଶାବାସୀଙ୍କ ନିକଟରେ ଏକ ଭିନ୍ନ ରୂପରେ ମଧ୍ୟ ଆସିବ ବୋଲି ସେ ପ୍ରକାଶ କରିଥିଲେ ।

ଅନ୍ୟପଟେ ବରଗଡ ପୌରପାଳିକାର ଅଧ୍ୟକ୍ଷା କଳ୍ପନା ମାଝୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ମଣିଷର ଚେତନା ଜଗତକୁ ଜାଗ୍ରତ କରାଇବାରେ ‘ଦର୍ଶନ’ ପ୍ରମୁଖ ଭୂମିକା ଗ୍ରହଣ କରୁଛି ଏବଂ ଏହାର ଜୟଯାତ୍ରା ଆଗାମୀ ଦିନରେ ଜାରି ରହିବ । ସେହିପରି ବରଗଡର ଅନ୍ୟତମ ଯୁବ ସଂଗଠକ ନିପନ ଦାଶ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ପ୍ରିଣ୍ଟ୍ ମିଡିଆ ବିଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ ହେଁ ପାଠକିୟ ଆଦୃତି ଯୋଗୁଁ ଏହାର ଅସ୍ମିତାକୁ ଚ୍ୟାଲେଞ୍ଜ କରାଯାଇପାରିବ ନାହିଁ । ‘ଦର୍ଶନ’ ଖବରକାଗଜ ଆହୁରି ଅଧିକରୁ ଅଧିକ ଭାବେ ପଶ୍ଚିମ ଓଡ଼ିଶାବାସୀଙ୍କ ନିକଟରେ ପହଞ୍ଚୁ ବୋଲି ସେ ଆଶା ପ୍ରକାଶ କରିଥିଲେ । ସେହିପରି ବରଗଡ ଧନୁଯାତ୍ରାର ଉଗ୍ରେସନ ଭୂମିକା ନିଭାଉଥିବା ଆର୍ତ୍ତତ୍ରାଣ ମହାପାତ୍ର ତାଙ୍କ ଭାଷଣରେ କହିଥିଲେ ଯେ, ସାମ୍ବାଦିକମାନେ ସମାଜର ଶ୍ରେଷ୍ଠ ଯୋଦ୍ଧା ଓ ଜାଗ୍ରତ ପ୍ରହରୀ । ସେମାନେ କଲମର ମୁନକୁ ଆହୁରି ମଜଭୁତ କରିପାରିଲେ ସମାଜର ଗତିପଥ ନିଶ୍ଚୟ ସକରାତ୍ମକ ଦିଗକୁ ଗଡିଚାଲିବ । ସେହିପରି ‘ଦର୍ଶନ’ର କାର୍ଯ୍ୟକାରୀ ସମ୍ପାଦିକା ପ୍ରଶମିତା ମହାନ୍ତି ତାଙ୍କ ଅଭିଭାଷଣରେ କହିଥିଲେ ଯେ, ‘ଦର୍ଶନ’ ପରିବାରର ମୂଳଉତ୍ସ ହେଉଛି ଏକତା । ଏକତା ମନ୍ତ୍ରରେ ‘ଦର୍ଶନ’ ପରିବାର ଆଜି ଗୋଟିଏ ପରେ ଗୋଟିଏ ସଫଳତାର ଶିଢ଼ି ଚଢ଼ିବା ସହ ଏହାର ପାଠକୀୟ ଆଦୃତି ଦିନକୁ ଦିନ ଦୃତ ଗତିରେ ବଢ଼ିଚାଲିଛି । ସେହିପରି ‘ଦର୍ଶନ’ର ପ୍ରତ୍ୟେକ ସମ୍ବାଦଦାତା ଓ ବିତରକ ଖବରକାଗଜର ଜଣେ ଜଣେ ପ୍ରମୁଖ ଅଂଶୀଦାର ଏବଂ ସେମାନଙ୍କ ସମସ୍ତ ସୁଖଦୁଃଖରେ ‘ଦର୍ଶନ’ ଛିଡା ହେବା ପାଇଁ ପ୍ରତିବଦ୍ଧ ବୋଲି ଶ୍ରୀମତୀ ମହାନ୍ତି ତାଙ୍କ ଭାଷଣରେ କହିଥିଲେ । ଅନ୍ୟପଟେ ବରଗଡ ଜିଲ୍ଲା ପ୍ରତିନିଧି ସୁବ୍ରତ ବିର୍ତ୍ତିଆ ଧନ୍ୟବାଦ ଦେବା ସହ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସମସ୍ତେ ସହଯୋଗ କରିଥିବାରୁ ସେ କୃତଜ୍ଞତା ଅର୍ପଣ କରିଥିଲେ । ଆଗାମୀ ଦିନରେ ବରଗଡ ସମେତ ପଶ୍ଚିମ ଓଡ଼ିଶାରେ ‘ଦର୍ଶନ’ ନିଜର କାୟାକଳ୍ପ ବୃଦ୍ଧି ସୁଦୃଢ଼ ଭାବେ କରିବ ଏବଂ ଏହି ମହାନ ଯଜ୍ଞରେ ସଭିଏଁ ଏକ ମନ ଏକ ପ୍ରାଣରେ ଆହୁତି ଦେବା ପାଇଁ ସେ ନିବେଦନ କରିଥିଲେ । ସେହିପରି ଶ୍ରୀ ବିର୍ତ୍ତିଆଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସଫଳ ଭାବେ ଆୟୋଜନ ହୋଇଥିବାରୁ ଅତିଥିମାନେ ତାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଅନ୍ୟପଟେ କାର୍ଯ୍ୟକ୍ରମ ପରିଚାଳନାରେ ଗଣେଶ ମେହେର ଓ ଅନ୍ୟମାନେ ସହଯୋଗ କରିଥିଲେ ।
ଅନ୍ୟପଟେ ସମାଜର ବିଭିନ୍ନ ସ୍ତରରେ ସଫଳତାର ସହ ନିଜର କର୍ତ୍ତବ୍ୟ ନିପୁଣତା ପ୍ରତିପାଦିତ କରୁଥିବା ପ୍ରତିଭା ମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ସାମ୍ବାଦିକତା କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିଥିବା ଓଡ଼ିଶାର ବିଭିନ୍ନ ଅଞ୍ଚଳର ସାମ୍ବାଦିକ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।