ବିଜୁ ପଟ୍ଟନାୟକ ଫାଉଣ୍ଡେସନ ପକ୍ଷରୁ ବିଜୁ ବାବୁଙ୍କ ଜୟନ୍ତୀ ପାଳିତ

ବିଜୁ ପଟ୍ଟନାୟକ ଫାଉଣ୍ଡେସନ ତରଫରୁ ବିଜୁ ବାବୁଙ୍କ ୧୦୮ତମ ଜୟନ୍ତୀ ପାଳନ କରାଯାଇଛି।

ପରିବେଶର ସୁରକ୍ଷା ପାଇଁ ଜନସଚେତନତା ସୃଷ୍ଟି ଲକ୍ଷ୍ୟ

ଭୁବନେଶ୍ବର, ୦୬/୦୩/୨୦୨୪: ବିଜୁ ପଟ୍ଟନାୟକ ଫାଉଣ୍ଡେସନ ତରଫରୁ ବିଜୁ ବାବୁଙ୍କ ୧୦୮ତମ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ଉତ୍ସବ ପାଳନ କରାଯାଇଛି। ଦୀର୍ଘ ୨୭ ବର୍ଷ ହେବ, ଏହି ଫାଉଣ୍ଡେସନ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନ କରିଆସୁଛି। ଏହି ଉପଲକ୍ଷେ ପ୍ରତିବର୍ଷ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ପୁରସ୍କାର ବିତରଣ କରାଯିବା ସହ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ କୃତି ଶିକ୍ଷକ, କୃଷକ ଓ କଳାକାରମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଉଛି। ଏତଦବ୍ୟତୀତ ଗରୀବ ମହିଳାମାନଙ୍କୁ ବସ୍ତ୍ର ବଣ୍ଟନ ଏବଂ ରାସ୍ତାକଡରେ ବୃକ୍ଷରୋପଣ କରାଯାଏ। ଆଗାମୀ ଦିନରେ ଏହି କାର୍ଯ୍ୟକୁ ଆହୁରି ଆଗକୁ ନେବା ସହିତ ବିଜୁ ପଟ୍ଟନାୟକ ଫାଉଣ୍ଡେସନ ତରଫରୁ ପରିବେଶର ସୁରକ୍ଷା ନିମନ୍ତେ ଜନସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ସ୍ଥିର ହୋଇଛି। ଏହି କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ ଫାଉଣ୍ଡେସନର ଟ୍ରଷ୍ଟି ଶକ୍ତି ପ୍ରସାଦ ମହାନ୍ତି, ସଭାପତି ଡ଼ ସିଦ୍ଧାର୍ଥ କାନୁନଗୋ, ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାସ, ମାଇନରଟିଜ ଆସୋସିଏସନର ସଭାପତି ମହମ୍ମଦ ଅଲ୍ଲୀ, ସମାଜସେବୀ କ୍ଷେତ୍ର ମୋହନ ଦାସ ଏବଂ କର୍ପୋରେଟର ଆଶିଆ ବିବି ପ୍ରମୁଖ ଯୋଗ ଦେଇଥିଲେ।