ଲେମ୍ବୁର ଦାମ୍ ୩୫,୦୦୦ ଟଙ୍କା!

ତାମିଲନାଡୁର ଏକ ମନ୍ଦିରରେ ଭଗବାନ ଶିବଙ୍କୁ ଅର୍ପଣ ହୋଇଥିବା ଲେମ୍ବୁକୁ ୩୫ ହଜାର ଟଙ୍କାରେ ନିଲାମ କରାଯାଇଛି।

ନିଲାମ ହେଲା ଲେମ୍ବୁ

ତାମିଲନାଡୁ, ୧୧/୦୩/୨୦୨୪: ସାଧାରଣତଃ ଆମେମାନେ ଜାଣିଛେ ଯେ, ଗୋଟିଏ ଲେମ୍ବୁର ମୂଲ୍ୟ ଅତିବେଶୀରେ ୫ ଟଙ୍କା ଥାଏ। ଋତୁ ଓ ଅମଳ ଅନୁସାରେ ଲେମ୍ବୁର ମୂଲ୍ୟରେ ପରିବର୍ତ୍ତନ ଆସିଥାଏ। କିନ୍ତୁ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏପରି ଏକ ଲେମ୍ବୁ ଅଛି ଯାହାର ମୂଲ୍ୟ ୩୫ ହଜାର ଟଙ୍କା। ଆଜ୍ଞା ହଁ! ଆପଣମାନେ ଠିକ୍ ଶୁଣିଛନ୍ତି ଗୋଟିଏ ଲେମ୍ବୁର ମୂଲ୍ୟ ୩୫ ହଜାର ଟଙ୍କା, ଯାହାର ଦାମ୍ ସାଧାରଣ ମୂଲ୍ୟ ଠାରୁ ଢେର ଅଧିକ।

ଏଭଳି ଏକ ରୋଚକ ଖବର ସାମନାକୁ ଆସିଛି ତାମିଲନାଡୁରୁ। ତାମିଲନାଡୁର ଇରୋଡ ନିକଟସ୍ଥ ଏକ ଶୈବପୀଠରେ ଗତ ମହାଶିବରାତ୍ରି ଅବସରରେ ଭଗବାନଙ୍କୁ ଏକ ଲେମ୍ବୁ ଅର୍ପଣ କରାଯାଇଥିଲା। ଇରୋଡଠାରୁ ୩୫ କିଲୋମିଟର ଦୂର ଶିବଗିରି ଗାଁ ନିକଟରେ ଥିବା ପାଝାପୁସିଆନ ମନ୍ଦିରରେ ଭଗବାନ ଶିବଙ୍କୁ ଅର୍ପଣ କରାଯାଇଥିବା ଲେମ୍ବୁ ଓ ଫଳ ସମେତ ଅନ୍ୟାନ୍ୟ ସାମଗ୍ରୀ ନିଲାମ କରାଯାଇଥିଲା। ମନ୍ଦିର କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ନିଲାମରେ ୧୫ ଜଣ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥିବା ବେଳେ ଗୋଟିଏ ଲେମ୍ବୁ ଇରୋଡର ଜଣେ ଭକ୍ତଙ୍କୁ ୩୫ ହଜାର ଟଙ୍କାରେ ବିକ୍ରି କରାଯାଇଥିଲା। ମନ୍ଦିର ପୂଜକ ନିଲାମ ହୋଇଥିବା ଲେମ୍ବୁକୁ ଶତାଧିକ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ନିଲାମରେ ସର୍ବୋଚ୍ଚ ନିଲାମ କରିଥିବା ବ୍ୟକ୍ତିଙ୍କୁ ଫେରାଇ ଦେଇଥିଲେ। ଏହି ପ୍ରଥାକୁ ନେଇ ବିଶ୍ୱାସ ଅଛି ଯେ, ଯେଉଁ ବ୍ୟକ୍ତି ସର୍ବୋଚ୍ଚ ନିଲାମ କରିବାରେ ସକ୍ଷମ ହୁଏ ଏବଂ ଲେମ୍ବୁ ପାଇଥାଏ ସେ ବର୍ଷ ବର୍ଷ ପର୍ଯ୍ୟନ୍ତ ଧନ ଏବଂ ଉତ୍ତମ ସ୍ୱାସ୍ଥ୍ୟର ଆଶୀର୍ବାଦ ଲାଭ କରିଥାଏ।