ମହିଳାଙ୍କ ପାରିବାରିକ ଦାୟିତ୍ୱକୁ ହୃଦୟଙ୍ଗମ କଲେ ନବୀନ

ରାଜ୍ୟରେ କାର୍ଯ୍ୟରତ ମହିଳା ସରକାରୀ କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି।

ମହିଳା ସରକାରୀ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି

ଭୁବନେଶ୍ବର, ୧୨/୦୩/୨୦୨୪: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ଯୋଜନା ଉପରେ ଯୋଜନା ସେତିକି ଆରମ୍ଭ ହେଉଛି। ସରକାରୀ କର୍ମଚାରୀଙ୍କଠାରୁ ଆରମ୍ଭ କରି ସବୁ ବର୍ଗଙ୍କୁ ଖୁସି କରିବାରେ ଲାଗି ପଡିଛନ୍ତି ରାଜ୍ୟ ସରକାର। ଏଥର ପାଳି ମହିଳା ସରକାରୀ କର୍ମଚାରୀଙ୍କ। ମହିଳା ସରକାରୀ କର୍ମଚାରୀମାନଙ୍କୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ଭେଟି। ଏଥର ମହିଳା କର୍ମଚାରୀମାନେ ବର୍ଷକୁ ପାଇବେ ୨୫ଟି ସାମୟିକ ଛୁଟି।

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟକରୁଥିବା ମହିଳା କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ଷିକ ୨୫ ଦିନର ସାମୟିକ ଛୁଟି ଘୋଷଣା କରିଛନ୍ତି। ସରକାରୀ କର୍ମଚାରୀମାନଙ୍କ ପାଇଁ ସାଧାରଣତଃ ବର୍ଷକୁ ୧୫ ଦିନର ସାମୟିକ ଛୁଟି ଦିଆଯାଉଥିବା ବେଳେ ମହିଳା ସରକାରୀ କର୍ମଚାରୀମାନଙ୍କ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଆଉ ଅଧିକ ୧୦ ଦିନର ଛୁଟି ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ ମହିଳା କର୍ମଚାରୀମାନେ ବର୍ଷକୁ ୨୫ ଦିନର ସାମୟିକ ଛୁଟି ଉପଭୋଗ କରିପାରିବେ।

ମହିଳାମାନଙ୍କ ପାରିବାରିକ ଦାୟିତ୍ୱ ଓ ବିଭିନ୍ନ ସମସ୍ୟାକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ ଯେ ୯୦ ଦଶକରେ ମହିଳାମାନଙ୍କ ପାଇଁ ସରକାରୀ ଚାକିରିରେ ୩୩% ସ୍ଥାନ ସଂରକ୍ଷଣ ଭଳି ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିବାରେ ଓଡିଶା ଥିଲା ଦେଶର ପ୍ରଥମ ରାଜ୍ୟ।