ଆଜିଠୁ ଗଡିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍

ଆଜି ରାଜ୍ୟରେ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ସହ ୨୭୪ଟି ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ।

ଦେଶକୁ ୮୫ହଜାର କୋଟିର ପ୍ରକଳ୍ପ ଭେଟି ଦେବେ ମୋଦି

ନୂଆଦିଲ୍ଲୀ, ୧୨/୦୩/୨୦୨୪: ଆଜି ଓଡ଼ିଶାର ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ୱରରୁ ବିଶାଖାପାଟଣାକୁ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ପତାକା ଦେଖାଇ ଶୁଭାରମ୍ଭ କରିବେ। ଶନିବାର ବ୍ୟତୀତ ସପ୍ତାହରେ ୬ ଦିନ ଏହି ଟ୍ରେନ୍ ଚଳାଚଳ କରିବ।

ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ମହେଶ କୁମାର ବେହେରା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ରାଜ୍ୟର ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିବା ସହ ୨୭୪ଟି ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ।

ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ୧୬୨ଟି ଇଣ୍ଟରଲକିଂ ସିଷ୍ଟମ, ୪୧ଟି ୱାନ୍ ଷ୍ଟେସନ ୱାନ୍ ପ୍ରଡକ୍ଟ (ଓଏସ୍ଓପି) ଷ୍ଟଲ୍, ୫୦ଟି ସୌର ଶକ୍ତି କେନ୍ଦ୍ର, ୫ଟି ଗୁଡ୍ସ ସେଡ୍, ୯ଟି ନୂଆ ଲାଇନ୍, ଦୋହରୀକରଣ ଓ ତୃତୀୟ ଲାଇନ୍ ପ୍ରକଳ୍ପ, ୪ଟି ଅଟୋ ସିଗନାଲିଂ ସିଷ୍ଟମ, ଗୋଟିଏ ଗତିଶକ୍ତି ଟର୍ମିନାଲ, ଗୋଟିଏ ଜନ ଔଷଧି କେନ୍ଦ୍ର ଏବଂ ଗୋଟିଏ ରେଳ କୋଚ୍ ରେଷ୍ଟୁରାଣ୍ଟ ରହିଛି। ପ୍ରଧାନମନ୍ତ୍ରୀ ଓଡ଼ିଶା ସମେତ ସମଗ୍ର ଦେଶରେ ୮୫ ହଜାର କୋଟିରୁ ଅଧିକ ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ।