ନାୟବ ସିଂହ ସୈନୀ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ

ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନାୟବ ସିଂହ ସୈନୀ ଆଜି ଶପଥ ଗ୍ରହଣ କରିଛନ୍ତି।

ମନୋହରଙ୍କ ଉପସ୍ଥିତିରେ ନେଲେ ଶପଥ

ନୂଆଦିଲ୍ଲୀ, ୧୨/୦୩/୨୦୨୪: ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାୟବ ସିଂହ ସୈନୀ। ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଭାବରେ ହରିୟାଣାର ରାଜଭବନରେ ଶପଥ ଗ୍ରହଣ କରିଛନ୍ତି। ହରିୟାଣା ବିଜେପି ମୁଖ୍ୟ ତଥା କୁରୁକ୍ଷେତ୍ର ସାଂସଦ ନାୟବ ସିଂହ ସୈନୀଙ୍କ ନେତୃତ୍ୱାଧୀନ ବିଜେପି ସରକାରରେ ବିଜେପି ବିଧାୟକ କନୱର ପାଲ ଗୁର୍ଜର, ମୂଳଚାନ୍ଦ ଶର୍ମା ଏବଂ ଜେପି ଦଲାଲ ମନ୍ତ୍ରୀ ଭାବେ ମଧ୍ୟ ଶପଥ ନେଇଛନ୍ତି। ନାୟବ ସିଂହ ସୈନୀ ମନୋହର ଲାଲ ଖଟ୍ଟରଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ତାଙ୍କ କ୍ୟାବିନେଟ ମନ୍ତ୍ରୀଙ୍କ ସହ ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ପରେ ଏକ ବୈଠକରେ ଭାରତୀୟ ଜନତା ପାର୍ଟି (ବିଜେପି) ଏହାର ରାଜ୍ୟ ସଭାପତି ନାୟବ ସିଂହ ସୈନୀଙ୍କୁ ବିଧାୟକ ଦଳ ନେତା ଭାବେ ନିଯୁକ୍ତ କରିଥିଲା। ଶପଥ ନେବା ପୂର୍ବରୁ ନାୟବ ମନୋହରଲାଲ ଖଟ୍ଟରଙ୍କ ଆଶୀର୍ବାଦ ନେଇଥିଲେ।