ଆଜି ଆସିବ ଓଡ଼ିଶା ବିଜେପି ପ୍ରାର୍ଥୀ ତାଲିକା

ଗତ କାଲି ବିଳମ୍ବିତ ରାତିରେ କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଓଡ଼ିଶା ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ନେଇ ଆଲୋଚନା କରାଯାଇଛି।

ସମ୍ବଲପୁରରୁ ଲଢିବେ ଧର୍ମେନ୍ଦ୍ର

ଭୁବନେଶ୍ବର, ୨୪/୦୩/୨୦୨୪: ଓଡ଼ିଶାର ୨୧ ଲୋକସଭା ଆସନ ଉପରେ କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଆଲୋଚନା କରାଯାଇଛି। ଭାରତୀୟ ଜନତା ପାର୍ଟି ଆଜି ଓଡ଼ିଶା ସମେତ ଅନେକ ରାଜ୍ୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ। କିନ୍ତୁ ଏଯାଏ ଦଳ ପକ୍ଷରୁ ଓଡ଼ିଶା ପାଇଁ ପ୍ରାର୍ଥୀତ୍ୱ ତାଲିକା ପ୍ରକାଶ କରିନାହିଁ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ ଲୋକସଭା ନିର୍ବାଚନରେ ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀ, ବାଲେଶ୍ୱରରୁ ପ୍ରତାପ ଷଡ଼ଙ୍ଗୀ ପୁଣି ନିର୍ବାଚନ ଲଢ଼ିପାରନ୍ତି। ସେହିପରି ବଲାଙ୍ଗୀର ଲୋକସଭା ଆସନରୁ ବର୍ତ୍ତମାନର ସାଂସଦ ସଙ୍ଗୀତା ସିଂହଦେଓ, ଢେଙ୍କାନାଳରୁ ରୁଦ୍ର ପାଣି ଏବଂ ନବରଙ୍ଗପୁରରୁ ବଳଭଦ୍ର ମାଝୀଙ୍କୁ ପ୍ରାର୍ଥୀ କରାଯିବାର ସମ୍ଭାବନା ରହିଛି।

ତେବେ ଏହି ତାଲିକାରୁ ରାଜ୍ୟର ଦୁଇ ଜଣ ବିଜେପି ସାଂସଦଙ୍କ ପ୍ରାର୍ଥୀତ୍ୱ କରିବାର ସମ୍ଭାବନା ରହିଛି ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂହ ଓ ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଗତ କଲି ବିଳମ୍ବିତ ରାତିରେ ନିର୍ବାଚନ ରଣନୀତି ଓ ଓଡ଼ିଶା ପ୍ରାର୍ଥୀତ୍ୱ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା।