ଭାରତରେ ଅବାଧ ପ୍ରବେଶ: ୭ ବାଂଲାଦେଶୀ ଗିରଫ

ବେଆଇନ ଭାବେ ଭାରତରେ ପ୍ରବେଶ କରିବା ଅଭିଯୋଗରେ ଅଗରତାଲା ଷ୍ଟେସନରେ ୭ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି।

ଛଦ୍ମବେଶରେ ରେଳଷ୍ଟେସନରେ ସନ୍ଦିଗ୍ଧ ଭାବେ ବୁଲୁଥିବା ସମୟରେ ନଜର ଆସିଲେ

ନୂଆଦିଲ୍ଲୀ, ୨୩/୦୩/୨୦୨୪: ଭାରତରେ ବେଆଇନ ଭାବେ ପ୍ରବେଶ କରିଥିବା ବାଂଲାଦେଶ ନାଗରିକ ଧରା ପଡିଛନ୍ତି। ତ୍ରିପୁରାର ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସୀମାରେ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିବା ୭ ଜଣ ବାଂଲାଦେଶୀ ନାଗରିକଙ୍କୁ ଶନିବାର ବଧରଘାଟସ୍ଥିତ ଅଗରତାଲା ରେଳ ଷ୍ଟେସନରୁ ଗିରଫ କରାଯାଇଛି। ଉକ୍ତ ବାଂଲାଦେଶୀ ନାଗରିକମାନେ କାଞ୍ଚନଜଙ୍ଗା ଏକ୍ସପ୍ରେସରେ ଚଢ଼ି ଚେନ୍ନାଇ ଅଭିମୁଖେ ଯାତ୍ରା କରିବା ପୂର୍ବରୁ ସେମାନଙ୍କୁ ଅଟକ ରଖାଯାଇଥିଲା।

ମିଳିଥିବା ସୂଚନା ମୁତାବକ, ଅଗରତାଲା ରେଳବାଇ ପୁଲିସ ପକ୍ଷରୁ ଯାଞ୍ଚ କରା ଯାଉଥିବା ବେଳେ ସନ୍ଦିଗ୍ଧ ଭାବେ ବୁଲୁଥିବା ଏହି ୭ ଜଣ ବାଂଲାଦେଶୀ ନାଗରିକଙ୍କୁ ଅଟକ ରଖି ପଚରାଉଚରା କରିଥିଲେ। ପରେ ସେମାନେ ବାଂଲାଦେଶର ନାଗରିକ ବୋଲି କହିଥିଲେ। ସେମାନଙ୍କ ନିକଟରୁ ସ୍ମାର୍ଟଫୋନ୍ ଜବତ କରାଯାଇଛି ଏବଂ ସେମାନେ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି କି ନାହିଁ ତାହା ଜାଣିବା ପାଇଁ ସେମାନଙ୍କ ପାଖରୁ ଜବତ ହୋଇଥିବା ମୋବାଇଲ ଗୁଡ଼ିକ ଯାଞ୍ଚ କରାଯାଉଛି। ଗିରଫ ହୋଇଥିବା ସାତ ଜଣଙ୍କ ମଧ୍ୟରୁ ଦୁଇ ଜଣ ଛଦ୍ମ ବେଶରେ ରେଳ ଷ୍ଟେସନ ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଜିଆରପି ଅଧିକାରୀମାନେ ସେମାନଙ୍କୁ କିନ୍ନର ବୋଲି ଭାବୁଥିଲେ। ହେଲେ ପରେ ସେମାନଙ୍କ ଭିତରୁ ୫ ଜଣ ପୁରୁଷ ଓ ୨ ଜଣ ମହିଳା ବୋଲି ଜଣା ପଡିଥିଲା। ଉଲ୍ଲେଖଯୋଗ୍ୟ ଯେ, ଶୁକ୍ରବାର ଦିନ ମଧ୍ୟ ଭାରତରେ ଅବାଧ ପ୍ରବେଶ କରିଥିବା ଜଣେ ବାଂଲାଦେଶୀ ମହିଳା ଓ ଜଣେ ଦଲାଲ ଧରା ପଡିଥିଲେ। ଯାହାଙ୍କ ସାହାଯ୍ୟରେ ମହିଳା ଜଣଙ୍କ ଭାରତକୁ ଆସିଥିଲେ।