ବିଜେପିକୁ ବିଦାୟ ଦେଲେ ପ୍ରବକ୍ତା ସୋନାଲି ସାହୁ

ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି ମହିଳା ନେତ୍ରୀ ସୋନାଲି ସାହୁ।

ଦଳରେ ମହିଳାଙ୍କୁ ମିଳୁନି ସମ୍ମାନ: ସୋନାଲି

ଭୁବନେଶ୍ବର, ୦୪/୦୪/୨୦୨୪: ବିଜେପିକୁ ବିଦାୟ ଦେଲେ ମୁଖ୍ୟ ପ୍ରବକ୍ତା ସୋନାଲି ସାହୁ। ବିଜେପି ସଭାପତି ମନମୋହନ ସାମଲଙ୍କ ପାଖକୁ ଇସ୍ତଫା ପତ୍ର ପଠାଇ ସୋନାଲି ଆଜି ଦଳରୁ ଇସ୍ତଫା ଦେଇଛନ୍ତି।

ଇସ୍ତଫା ପତ୍ରରେ ସୋନାଲି ଉଲ୍ଲେଖ କରିଛନ୍ତି ଯେ, ଦଳରେ ୫ ବର୍ଷ ଧରି କାର୍ଯ୍ୟ କରିଥିଲେ ମଧ୍ୟ ତାଙ୍କୁ ଯଥେଷ୍ଟ ସମ୍ମାନ ମିଳିନାହିଁ। ଦଳ ମହିଳା ସପକ୍ଷବାଦୀ ନୁହେଁ। ତେଣୁ ଜଣେ ମହିଳା ହିସାବରେ ଆଗକୁ ବଢିବା ପାଇଁ ଏବଂ ମହିଳାମାନଙ୍କ ପାଇଁ କାର୍ଯ୍ୟ କରିବାକୁ ସେ ବିଜେପିରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି। ଏହାବ୍ୟତୀତ ସେ ସର୍ବଦା ଓଡ଼ିଶାବାସୀଙ୍କ ପାଇଁ କାମ କରିବେ ବୋଲି ଉଲ୍ଲେଖ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ୨୦୧୯ରେ ସୋନାଲି କଂଗ୍ରେସରୁ ନିର୍ବାଚନ ଲଢିବା ପାଇଁ ଟିକେଟ୍ ମିଳିନଥିବାରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। ଏବେ ବିଜେପିରୁ ଇସ୍ତଫା ଦେବା ପରେ ଆଉ କେଉଁ ଦଳରେ ଯୋଗ ଦେଉଛନ୍ତି ତାହା ଦେଖିବା ବାକି ରହିଲା।