ଦଳ ତ୍ୟାଗ ରେସରେ ସାମିଲ ହେଲେ ବାପି ସର୍ଖେଲ

କଂଗ୍ରେସ ନେତା ବାପି ସର୍ଖେଲ ଓପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି।

ହାତକୁ କଲେ ବାଏ ବାଏ

ଭୁବନେଶ୍ବର, ୦୪/୦୪/୨୦୨୪: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଚାଲିଛି ଦଳ ଅଦଳ ବଦଳର ପର୍ବ। ଟିକେଟ ଆଶାରେ କିଏ ଏ ଦଳକୁ ତ କିଏ ସେ ଦଳକୁ ଡେଉଁଛନ୍ତି। ସେହି ରେସରେ ବାଦ ପଡି ନାହାନ୍ତି କଂଗ୍ରେସ ନେତା ବାପି ସର୍ଖେଲ। କଂଗ୍ରେସ ନେତା ବାପି ସର୍ଖେଲ ଗୁରୁବାର ଦଳର ପ୍ରାଥମିକ ସଦସ୍ୟତା ସମେତ ସମସ୍ତ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ଓପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ପଠାଇଛନ୍ତି।

ବାପିଙ୍କ ପତ୍ନୀ ମୋନିଦୀପା ସର୍ଖେଲ କିଛି ଦିନ ତଳେ ପାରାଦୀପ ପୌରପାଳିକାର ଉପାଧ୍ୟକ୍ଷ ଛବିଲତାଙ୍କ ସମେତ ତାଙ୍କର ଶହ ଶହ ସମର୍ଥକଙ୍କ ସହ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ତେଣୁ ବାପି ତାଙ୍କ ପତ୍ନୀଙ୍କୁ ଅନୁସରଣ କରି ବିଜେଡି ଶିବିରରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।

ସୂଚନାଯୋଗ୍ୟ, ୨୦୧୪ରେ ଦାମୋଦର ରାଉତ ଓ ୨୦୧୯ ନିର୍ବାଚନରେ ସମ୍ବିତ ରାଉତରାୟଙ୍କ ବିପକ୍ଷରେ ପାରାଦୀପ ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ନିର୍ବାଚନରେ ସେ ଦୁଇ ଥର ପରାଜିତ ହୋଇଥିଲେ।