ହିଟ୍ ୱେଭ: କେନ୍ଦୁଝର ସବୁଠୁ ଉତ୍ତପ୍ତ ସହର

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାରୁ ୮ ଜଣ ଅଂଶୁଘାତରେ ଆକ୍ରାନ୍ତ ହୋଇଛନ୍ତି।

ଆଉଟଡୋର ଗେମ୍ ଉପରେ ଲାଗିଲା କଟକଣା: ଏସ୍ଆରସି ପକ୍ଷରୁ ନିର୍ଦ୍ଦେଶ

ଭୁବନେଶ୍ୱର, ୦୬/୦୪/୨୦୨୪: ଜାରି ରହିଛି ହିଟ୍ ୱେଭ। ପ୍ରବଳ ତାତି ସାଙ୍ଗକୁ ଗୁଳୁଗୁଳି। ଖରାର ତୀବ୍ରତା ଏତେ ବେଶୀ ଯେ, ବାହାରକୁ ବାହାରିଲେ ମୁହଁ ପୋଡି ହୋଇଗଲା ପରି ଲାଗୁଛି। ସତେ ଯେମିତି ଆକାଶରୁ ନିଆଁ ଝୁଲ ବର୍ଷୁଛି। ଚଳିତ ଗ୍ରୀଷ୍ମ ଋତୁରେ ପ୍ରଥମ ଥର ପାଇଁ ଗତ କାଲି ୪୪ ଡିଗ୍ରୀ ଛୁଇଁଥିଲା ପାରଦ। ଟ୍ୱିନ୍ ସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ପ୍ରାୟ ୪୦ ଡିଗ୍ରୀ ଉପରେ ରହିଛି।

ସୂଚନାଯୋଗ୍ୟ, ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା କେନ୍ଦୁଝରରେ ତାପମାତ୍ରା ୩୮.୬ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ା ଓ ସମ୍ବଲପୁରରେ ତାପମାତ୍ରା ୩୭.୪ ଡିଗ୍ରୀ, ଚାନ୍ଦବାଲିରେ ୩୭.୨ ଡିଗ୍ରୀ, ହୀରାକୁଦରେ ୩୬.୯ ଡିଗ୍ରୀ, ରାଉରକେଲାରେ ୩୬.୬ ଡିଗ୍ରୀ ଓ ଭୁବନେଶ୍ୱରରେ ୩୬.୨ ଡିଗ୍ରୀ, ବାଲେଶ୍ୱରରେ ୩୬ ଡିଗ୍ରୀ, ଗୋପାଳପୁରରେ ୩୨.୨ ଡିଗ୍ରୀ, ପୁରୀରେ ୩୧.୮ ଓ ପାରାଦ୍ବୀପରେ ୩୧.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ସେହିପରି ଓଡ଼ିଶାରେ ଅଂଶୁଘାତ ଯୋଗୁଁ ୮ ଜଣ ଆକ୍ରାନ୍ତ ହୋଇଛନ୍ତି। ଅନୁଗୁଳରୁ ସର୍ବାଧିକ ୫ ଜଣ, ମୟୂରଭଞ୍ଜରୁ ଜଣେ, ସୁନ୍ଦରଗଡ଼ରୁ ଜଣେ ଓ ଭୁବନେଶ୍ୱରରୁ ଜଣେ ଆକ୍ରାନ୍ତ ହୋଇଛନ୍ତି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ଏହିପରି ଭାବେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୧୧ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। କଟକ, ଭଦ୍ରକ, ନୟାଗଡ଼, ମୟୂରଭଞ୍ଜ, କଳାହାଣ୍ଡି, ବୌଦ୍ଧ, ମାଲକାନଗିରି, ନୂଆପଡ଼ା, ନବରଙ୍ଗପୁର, କନ୍ଧମାଳ, ବଲାଙ୍ଗୀରକୁ ସତର୍କ ସୂଚନା ଜାରି କରାଯାଇଛି।

ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ପ୍ରବଳ ଖରା ଯୋଗୁଁ ଆଉଟଡୋର ଗେମ୍ ଉପରେ କଟକଣା ଲଗାଇଛନ୍ତି ଏସ୍ଆରସି। ଦିନ ୧୧ଟାରୁ ୩ଟା ମଧ୍ୟରେ କ୍ରିକେଟ, ଫୁଟବଲ, ହକି ଭଳି ଖେଳ ବାହାରେ ଖେଳକୁଦ ନ କରିବାକୁ ବାରଣ କରାଯାଇଛି। ଏହି ସମୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଅଂଶୁଘାତ ହେବାର ସମ୍ଭାବନା ରହିଛି।